ଏଥର ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡ଼ିଶୀ ନୃତ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀର ରାଜପଥରେ ନୃତ୍ୟ ପରିବେଷଣ କରିବେ ଓଡିଶା କଳାକାର। ସାରା ବିଶ୍ବ ଦେଖିବ ଓଡିଶାର ସଂସ୍କୃତି। ସାଧାରଣତନ୍ତ୍ର ଦିବସରେ ପରିବେଷଣ ହେବାକୁ ଥିବା ୮ଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡିଶୀ ନୃତ୍ୟ। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଚଳିତ ବର୍ଷ ସଂସ୍କୃତି ମନ୍ତ୍ରାଳୟ ସର୍ବଭାରତୀୟ ସ୍ତରରେ ‘ବନ୍ଦେ ମା’ତରମ ନୃତ୍ୟ ଉତ୍ସବ’ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କ୍ଷେତ୍ରରେ ୪୮୦ କଳାକାର ମନୋନୀତ ହୋଇଛନ୍ତି। ଏମାନଙ୍କ ଦ୍ବାରା ସାଧାରଣତନ୍ତ୍ର ଦିବସରେ ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ଫ୍ୟୁଜନ ନୃତ୍ୟ ପରିବେଷଣ ହେବ।

ଏଥିପାଇଁ ଅନୁଗୋଳର ନୃତ୍ୟ ନିଳୟ, ଓଡିଶୀ ନୃତ୍ୟ ଏବଂ ସଙ୍ଗୀତ ଅନୁଷ୍ଠାନରୁ ୧୦ ଜଣ କଳାକାରଙ୍କୁ ଚୟନ କରାଯାଇଛି। ସେହିପରି ଦିଲ୍ଲୀର ସଂଚାରୀ ଫାଉଣ୍ଡେସନର ୧୦ ଜଣ ଓଡିଶୀ ନୃତ୍ୟ କଳାକାରଙ୍କୁ ସଙ୍ଗୀତ ଏକାଡେମୀ ଦ୍ବାରା ଚୟନ କରାଯାଇଛି। ନୃତ୍ୟାଞ୍ଜଳି କ୍ରିଏସନର କଳାକାରମାନେ ମଧ୍ୟ ସାମିଲ ହୋଇଛନ୍ତି। ତେବେ ପ୍ରଦର୍ଶୀତ ହେବାକୁ ଥିବା ସାରା ଭାରତର ୮ଟି ଶାସ୍ତ୍ରୀୟ ନୃତ୍ୟର କଳାକାରମାନେ ଏକାଠି ନୃତ୍ୟ ପରିବେଷଣ କରିବେ।

ଚଳିତ ବର୍ଷ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଷୟ ବସ୍ତୁରେ ସମୂହ ନୃତ୍ୟ ପ୍ରଦର୍ଶନ କରିବେ। ସେହିପରି ଚଳିତ ବର୍ଷ ମଧ୍ୟ ପ୍ରଥମ କରି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ ପଟ୍ଟଚିତ୍ର। ରାଜପଥର ୨ କିଲୋମିଟର ପର୍ଯ୍ୟନ୍ତ ପଟ୍ଟଚିତ୍ର ପ୍ରଦର୍ଶିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ସମେତ ଆମ ରାଜ୍ୟର ବୀର ସଂଗ୍ରାମୀ ବାଜି ରାଉତ ଏବଂ ପାଇକ ବିଦ୍ରୋହ ଆଦି ଚିତ୍ରିତ କରାଯିବ।