ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ୍-୨୦୨୦ କପ୍, ଜ୍ୟାକେଟ ଏବଂ ମାସକଟ ଲୋକାର୍ପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଲୋକସେବା ଭବନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ୍-୨୦୨୦ କପ୍ ପାଇଁ ଜ୍ୟାକେଟ ଓ ମାସକଟ୍ ଲୋକାର୍ପିତ ହୋଇଯାଇଛି। ଏଥିରେ ରାଜ୍ୟର ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ ୧୪ ତାରିଖରୁ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି।

 

ଏଥିରେ ରାଜ୍ୟର ୬ ହଜାର ଜନଜାତି ପିଲା ଅଂଶଗ୍ରହଣ କରିଛନ୍ତି। ମାର୍ଚ୍ଚ ୫ ତାରିଖ ଦିନ କଟକ ବାରବାଟି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ମାସକଟ୍ ଭାବରେ ଗୁଣ୍ଡୁଚି ମୂଷାକୁ ଚୟନ କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।