ଚଳିତ ବନ୍ୟାରେ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ଅଗଷ୍ଟ ମାସର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟି ପାତ ଯୋଗୁଁ ରାଜ୍ୟର ୨୪ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହ ପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା। ବନ୍ୟା ଓ ପ୍ରବଳ ବୃଷ୍ଟି ପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲା ପାଳମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ ୧୪,୨୩୫ଟି ବାସଗୃହ, ୧୨୩୬ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ଟି ଡଙ୍ଗା ଓ ଜାଲ, ୨୮.୩୮୨ ହେକ୍ଟର ମାଛ ପାେଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଅଁଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧,୨୬,୧୬୨ ହେକ୍ଟର ଚାଷ ଜମି ଶତକଡା ୩୩ ଭାଗରୁ ଊର୍ଦ୍ଧ୍ୱ ଫସଲ ହାନୀ ହୋଇଛି। ଜିଲ୍ଲା ପାଳମାନଙ୍କର କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ଓ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ
ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷିଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟ ପାେଖରୀ, ମତ୍ସ୍ୟଜାଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ ୧୨୮ କୋଟି ୫୮ ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଞ୍ଜୁର କରାଯାଇଛି।

ସେହିପରି ଜଳବନ୍ଦୀ ଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସହାୟତା ବାବଦକୁ ଅଦ୍ୟାବଧି ଜିଲ୍ଲା ପାଳମାନଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଞ୍ଜୁର କରାଯାଇଛି। ଇତି ମଧ୍ୟରେ ଜଳ ସମ୍ପଦ ବିଭାଗ, ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗଠାରୁ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ଆକଳନ ରିପାେର୍ଟ ହସ୍ତଗତ ହୋଇଛି। ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ୫୨୭୭.୬୯ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୨୦୧୯.୪୪ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୪୨୫୪.୭୦ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୬୦୭.୭୨ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୫୦୩.୩୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି।

ମାତ୍ର ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ତୁରନ୍ତ ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ୪୩୫୩.୯୨ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୧୩୬୭.୨୫ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୪୧୪.୩୭ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୮୨.୪୬ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୪୯୭.୫୧ ଲକ୍ଷ ଟଙ୍କା ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଅଛି। ଏହିଭଳି ସର୍ବମୋଟ ୮୭୧୫.୫୧ ଲକ୍ଷ ଟଙ୍କା ଉକ୍ତ ବିଭାଗମାନଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର
କରାଯାଇଛି।