୮ରୁ ଭାରତ-ବ୍ରିଟେନ ମଧ୍ୟରେ ସୀମିତ ଉଡାଣ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତମାସ ୮ରୁ ଭାରତ ଓ ବ୍ରିଟେନ ମଧ୍ୟରେ ସୀମିତ ସଂଖ୍ୟକ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି। ଶୁକ୍ରବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରି ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବ୍ରିଟେନରେ କରୋନାର ରୂପାନ୍ତରିତ ଭୂତାଣୁ ଚିହ୍ନଟ ହେବାପରେ ଡିସେମ୍ବର ୨୩ରୁ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ। ଉଭୟ ଦେଶ ମଧ୍ୟରେ ସପ୍ତାହକୁ କେବଳ ୧୫ଟି ବିମାନ ଯାତାୟାତ କରିବ। ଏହି ବିମାନଗୁଡିକ କେବଳ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରୁ ଉଡାଣ ଭରିବ। ଏହି କଟକଣା ଜାନୁଆରୀ ୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ୨୩ ପରେ ସ୍ଥିତି ସମୀକ୍ଷା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପୁରି କହିଛନ୍ତି। ଏପର୍ଯ୍ୟନ୍ତ ବ୍ରିଟେନରୁ ଭାରତକୁ ଫେରିଥିବା ୨୯ଜଣ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତ ବୋଲି ଜଣାପଡିଛି।