ସରିଲା ଇଣ୍ଡିଆନ ଗ୍ରାଁ ପ୍ରି-୩, ଶ୍ରେଷ୍ଠ ଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ ଗତକାଲି ଶେଷ ହୋଇଛି। ତେବେ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଉଦଯାପନୀ ଉତ୍ସବରେ ଯୋଗଦେଇ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ଅବଦୁଲା ଆବୁବକର (ଟ୍ରିପଲ୍ ଜମ୍ପ), ଶ୍ରେଷ୍ଠ ମହିଳା ଆଥଲେଟ୍ ନବଜିତ୍ କୌର ଧିଲନ୍ (ଡିସ୍କସ୍ ଥ୍ରୋ)ଙ୍କୁ ସମ୍ମାନିତ କରିଥିଲେ। ଏହାସହ ୫ଟି ସଚିବ ଏଏଫ୍‌ଆଇ ସଭାପତି ଆଦିଲ୍ ସୁମାରିୱାଲାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ତେବେ ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ।

ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରାଁ ପ୍ରି-୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମିୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମିପ୍ରିୟା କିଷାନ କାଂସ୍ୟ ପଦକ ଜିତିଛନ୍ତି। ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଦୀର୍ଘ ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। ୨୦୦ ମିଟର ଦୌଡରେ ଶ୍ରାବଣୀ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶ୍ରାବଣୀ ୨୦୧୮ ପରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।