ଉଦ୍‌ଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ଗୁଳି ଜବତ, ବ୍ୟାଗରେ ରଖିଥିଲେ ଯାତ୍ରୀ

ରାଉରକେଲା,ଏନ୍ଏନ୍ଏସ୍‌: ଉଦ୍‌ଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ମିଳିଲା ଗୁଳି । ଜଣେ ଯାତ୍ରୀଙ୍କ ଠାରୁ ୬ଟି ଅଫୁଟା ଗୁଳି ସୁରକ୍ଷାକର୍ମୀ ଜବତ କରିଛନ୍ତି । ଯାତ୍ରୀ ଜଣଙ୍କ ବ୍ୟାଗରେ ଗୁଳି ରଖିଥିବାବେଳେ ସ୍କାନରରେ ତାହା ଧରାପଡ଼ିଲା । ଛେଣ୍ଡ୍ ଥାନା ପୋଲିସ ଗୁଳି ଜବତ କରି ଘଟଣାର ତଦନ୍ତ କରୁଛି । ଏଥିସହ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ ।

ଆଉ ମାତ୍ର ୪ ଦିନ ପରେ ରାଉରକେଲାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଗତ ୭ ତାରିଖରେ ରାଉରକେଲା ବିମାନବନ୍ଦର ଉଦଘାଟନ ହୋଇଥିଲା । ତେବେ ରାଉରକେଲା ସହରର ଝିରପାଣି ଅଞ୍ଚଳର ଜଣେ ଯାତ୍ରୀ ଭୁବନେଶ୍ବର ଯିବାପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସୁରକ୍ଷାକର୍ମୀ ତାଙ୍କ ବ୍ୟାଗ ସ୍କାନ କରିଥିଲେ । ସେହି ସମୟରେ ବ୍ୟାଗ ଭିତରେ ୬ଟି ଅଫୁଟା ଗୁଳି ଥିବା ଜଣାପଡ଼ିଥିଲା । ତେବେ ଯାତ୍ରୀଙ୍କୁ ଛେଣ୍ଡ୍‌ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା ।

ଏହାପରେ ଜଣାପଡ଼ିଛି ଯେ, ଗୁଳି ଗୁଡିକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକର । ସେ ଘରୁ ଭୁବନେଶ୍ୱର ବାହାରୁ ଥିବା ବେଳେ ଭୁଲ ବଶତଃ ତାଙ୍କ ବ୍ୟାଗରେ ଗୁଳି ରହି ଯାଇଥିବା କହିଛନ୍ତି । ବିମାନରେ ଗୁଳି ନେବା ବେଆଇନ, ତେଣୁ ଉକ୍ତ ବ୍ୟକ୍ତିଙ୍କ ଯାତ୍ରାକୁ ପୋଲିସ କ୍ୟାନସେଲ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ କେଉଁଥି ପାଇଁ ସେ ଗୁଳି ବ୍ୟାଗରେ ନେଉଥିଲେ । ଜାଣିଶୁଣି ନେଉଥିଲେ ନା ଭୁଲ ବଶତଃ ରହିଯାଇଥିଲା ତାହା ଏବେ ପୋଲିସର ତଦନ୍ତ ପରିସର ଭୁକ୍ତ ।