ପ୍ଲାଜମା ଥେରାପି ନେଇଥିବା ପ୍ରଥମ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ଲାଜମା ଥେରାପି ନେଇଥିବା ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଥିବା ଜଣାପଡ଼ିଛି। ତେବେ ଆଜି ତାଙ୍କୁ ଡିସଚାର୍ଜ କରାଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକର ଜଣେ ୪୮ ବର୍ଷୀୟ ମହିଳାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ତେବେ ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୩ ଜଣ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ଏବଂ ସେମାନେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।