ଅନନ୍ତନାଗରେ ସନ୍ଦିଗ୍ଧକୁ ଗୁଳି କଲେ ସୁରକ୍ଷାକର୍ମୀ, ନମ୍ବର ପ୍ଲେଟ ବୀହିନ ଗାଡ଼ିରେ ଅତିକ୍ରମ କରୁଥିଲା ଚେକପଏଣ୍ଟ

ଶ୍ରୀନଗର,ଏଜେନ୍ସି: ଜମୁ କଶ୍ମୀରରେ ବିଗତ ୨ ଦିନ ହେବ ଆତଙ୍କବାଦୀ ଆକ୍ରମଣ ଘଟଣା ଦେଖାଯିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଘାଟୀରେ ସେନା ଓ ପୁଲିସର ଯବାନମାନେ କଡ଼ା ନଜର ରଖିଛନ୍ତି। ଏହାରି ଭିତରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ଗୁଳି କରିଛନ୍ତି, ଯାହାର କି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କାରଣ ହେଲା ନିହତ ହୋଇଥିବା ବ୍ୟକ୍ତି ଜଣକ ଏସୟୁଭିରେ ଯାଉଥିଲା। ମେଙ୍ଘଲା ବ୍ରିଜ ଉପରେ ନାକା ଅତିକ୍ରମ କରୁଥିଲା। ସିଆରପିଏଫର ୪୦ତମ ବାଟାଲିୟନ ବ୍ୟକ୍ତିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଅଟକି ନଥିଲା।

ପୁଲିସ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ଯେଉଁ ଗାଡ଼ିରେ ଚେକପଏଣ୍ଟ ଅତିକ୍ରମ କରୁଥିଲା, ଏଥିରେ ନମ୍ବରପ୍ଲେଟ ନଥିଲା। ଏହି କାରଣରୁ ବ୍ୟକ୍ତି ଜଣକ ସନ୍ଦିଗ୍ଧ ବୋଲି ସୁରକ୍ଷାକର୍ମୀମାନେ ଭାବିଥିଲେ। ଅନ୍ୟପଟରେ ଚେକପଏଣ୍ଟରେ ବଳପୂର୍ବକ ଭାବେ ଅତିକ୍ରମ କରିବା ସୁରକ୍ଷାକର୍ମୀଙ୍କୁ ସହ୍ୟ ହୋଇପାରିଲା ନାହିଁ। କାରଣ ଗୁଳି କରିବା ପୂର୍ବରୁ ସୁରକ୍ଷାକର୍ମମାନେ ଗାଡ଼ିକୁ ଅଟକାଇବାକୁ ବହୁ ଉଦ୍ୟମ କରିଥିଲେ। ଗାଡ଼ି ଚାଳକ ସୁରକ୍ଷାକର୍ମୀଙ୍କୁ ଖାତିର ନକରି ଗାଡ଼ି ମୋଡ଼ି ଦେଇ ପଳାୟନ କରୁଥିଲା। ଏହା ପରେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା ଏବଂ ଗୁଳି କରିବା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ କି ବ୍ୟକ୍ତି ଜଣକ ନିହତ ହୋଇଥିଲା।

କିନ୍ତୁ ଗାଡ଼ିର ଚାଳକ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲା। ମୃତ ବ୍ୟକ୍ତିର ପରିଚୟ ମିଳିପାରି ନାହିଁ। ପୋଲିସ ପରିଚୟ ଖୋଜିବାକୁ ଉଦ୍ୟମ କରୁଛି। ଘାଟୀରେ ବାରମ୍ବାର ଆତଙ୍କବାଦୀ ଗତିବିଧି ଦେଖାଯିବା ପରେ ସୁରକ୍ଷାକର୍ମୀମାନେ ଅଧିକ ସତର୍କ ରହିଛନ୍ତି।