‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ରିପୋର୍ଟ : ଜଙ୍ଗଲ ନିଆଁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିମିଳିପାଳ ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ। ଶିମିଳିପାଳ ପାଦଦେଶ ଓ କୋର୍ ଅଞ୍ଚଳକୁ ନିଆଁ ମାଡ଼ିଚାଲିଛି । ରାଜ୍ୟ ସରକାର ନିଆଁ ଆୟତାଧୀନ ବୋଲି କହିଛନ୍ତି। ହେଲେ ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ ପକ୍ଷରୁ ଗତ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ରିପୋର୍ଟକୁ ଦେଖିଲେ ହୋସ୍ ଉଡ଼ିଯିବ। ଉକ୍ତ ରିପୋର୍ଟରେ ଜଙ୍ଗଲରେ ନିଆଁ ଲାଗିବାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ପ୍ରଥମ ବୋଲି କୁହାଯାଇଛି।
ମିଳିଥିବା ସୂଚନାନୁସାରେ ଦେଶର ବିଭିନ୍ନ ରାଜ୍ୟରେ ଜଙ୍ଗଲକୁ ନେଇ ‘ସର୍ଭେ ଅଫ୍ ଇଣ୍ଡିଆ’ ବିସ୍ତୃତ ସର୍ଭେ କରିଥାଏ। ୨୦୧୮ରେ ଦେଶରେ ମୋଟ୍ ୩୭,୦୫୯ଟି ଜଙ୍ଗଲ ନିଆଁ ଘଟଣା ଘଟିଥିଲାବେଳେ ୨୦୨୦ରେ ତାହା ୪୦ ହଜାରକୁ ଟପିଥିଲା। ହେଲେ କେବଳ ମାର୍ଚ୍ଚ ୨ରେ ହୋଇଥିବା ଗୋଟିଏ ଦିନ ସର୍ଭେରେ ଭାରତର ୫୯୩ଟି ଜଙ୍ଗଲରେ ନିଆଁ ଲାଗିଥିବା ରେକର୍ଡ କରାଯାଇଛି। ଏଥିରେ ଓଡ଼ିଶାର ସର୍ବାଧିକ ୨୨୮ଟି ଜଙ୍ଗଲରେ ନିଆଁ ଲାଗିଥିବା ଦର୍ଶାଯାଇଛି। ହେଲେ ଓଡ଼ିଶା ପଛକୁ ଅନ୍ୟ ରାଜ୍ୟସବୁ ରହିଛନ୍ତି। ଝାଡ଼ଖଣ୍ଡରେ ୫୯ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିବାବେଳେ ମଧ୍ୟପ୍ରଦେଶରେ ୫୦, ଆନ୍ଧ୍ର ପ୍ରଦେଶରେ ୪୧, ତେଲେଙ୍ଗାନାରେ ୩୬, ଛତିଶଗଡ଼ରେ ୩୦, ପଶ୍ଚିମବଙ୍ଗରେ ୨୩,ମଣିପୁରରେ ୨୨, ଆସାମରେ ୧୧, କର୍ଣ୍ଣାଟକରେ ୯, ଉତ୍ତର ପ୍ରଦେଶରେ ୩, ଗୁଜରାଟରେ ୨ ଓ ହିମାଚଳ ପ୍ରଦେଶରେ ଗୋଟିଏ ଜଙ୍ଗଲ ନିଆଁ ଲାଗିବା ଘଟଣା ଘଟିଛି।
ଓଡ଼ିଶାରେ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିଥାଏ। ତାହା କେତେବେଳେ ମନୁଷ୍ୟକୃତ ତ ଆଉ କେତେବେଳେ ଅନ୍ୟାନ୍ୟ କାରଣରୁ ନିଆଁ ଲାଗିଥାଏ। ଚଳିତ ବର୍ଷ ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି। କାରଣ ଏହି ଜାତୀୟ ଉଦ୍ୟାନଟି ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ଏହି ଅଭୟାରଣ୍ୟରୁ ୧୩ଟି ନଦୀ ବାହାରିଥିବା ବେଳେ ୪ କିସମର ଜଙ୍ଗଲ ରହିଛି। ସେହିପରି ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଓ ୨୩୧ ପ୍ରଜାତିର ପକ୍ଷୀ ବସବାସ କରନ୍ତି। ଅଭୟାରଣ୍ୟରେ ୨ ଶହରୁ ଅଧିକ କଲରାପତରିଆ ବାଘ ଓ ୨୧ଟି ମହାବଳ ବାଘ ଅଛନ୍ତି। ଏଥିଯୋଗୁଁ ଜୈବ-ବିବିଧତା ବଜାୟ ରଖିବାରେ ସହାୟକ ହୁଏ। ପ୍ରାୟ ପାଞ୍ଚଦିନ ଧରି ନିଆଁ ଜଳୁଛି। ସତରେ ଯଦି ନିଆଁ ନିୟନ୍ତ୍ରଣ ନହୁଏ ଏବଂ ତାହା ଶିମିଳିପାଳ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ମାଡ଼ି ଯାଏ ତାହାଲେ ସ୍ଥିତି ଭୟାବହ ହେବ। ପବନ ଯୋଗୁଁ ନିଆଁ ତୀର ବେଗରେ ମାଡ଼ି ଚାଲିଛି।

ଉଲ୍ଲେଖନୀୟ ଯେ ମୟୂରଭଞ୍ଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଥିଲେ। ରାଜକୁମାରୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ଟ୍ୱିଟ୍ କରି ପ୍ରଥମେ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ଶିମିଳିପାଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ଓ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଇବା ପାଇଁ କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର। ଏହାପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଟ୍ୱିଟ୍ କରି ଏନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ରିପୋର୍ଟ କରିବାକୁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ସମୀକ୍ଷା କରି ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି ସ୍ପଷ୍ଟ କରିଛନ୍ତି।