ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ଟିଆଇ ପରେଡରେ ବିବନଙ୍କୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ଶେଷ ହୋଇଛି। ଭୁବନେଶ୍ୱର ଝାରପଡ଼ା ଜେଲ ପରିସରରେ ହୋଇଥିବା ଟିଆଇ ପରେଡରେ ବିବନକୁ ଅଞ୍ଚନା ମିଶ୍ର ଚିହ୍ନଟ କରିଛନ୍ତି। ଏହି ଟିଆଇ ପରେଡ଼ ୧୦ ମିନିଟ ପାଇଁ ହୋଇଥିଲା ବୋଲି ଅଞ୍ଜନା ମିଶ୍ର କହିଛନ୍ତି। ଟିଆଇ ପରେଡ୍ରେ ୧୦ ଜଣ ଠିଆ ହୋଇଥିଲେ। ଏହି ୧୦ ଜଣଙ୍କ ମଧ୍ୟରେ ତାଙ୍କର ଡ୍ରାଇଭର ମଧ୍ୟ ଥିଲା। ଟିଆଇ ପରେଡ୍ରେ କ’ଣ ହୋଇଛି କୋର୍ଟରେ ଜଣାପଡ଼ିବ ବୋଲି ଅଞ୍ଜନା ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
୨୨ ବର୍ଷ ପରେ ବିବନକୁ ଚିହ୍ନଟ ପାଇଁ ଆଜି ଜେଲ ପରିସରରେ ପହଞ୍ଚିଥିଲେ ଅଞ୍ଜନା ମିଶ୍ର । ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ଚିହ୍ନଟ ବେଳେ ଜଣେ ମାଜିଷ୍ଟ୍ରେଟ ଓ ଜେଲ ବିଭାଗର ଜଣେ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ବିବନ ସହ ଅନ୍ୟ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡ଼ା କରାଯାଇଥିଲା। ଏମାନଙ୍କର ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ବିବନ ଭଳି ରହିଥିଲା। ଟିଆଇ ପରେଡ ପାଇଁ ଅନ୍ୟ କାହାରିକୁ ଜେଲ ପରିସରକୁ ଛଡ଼ାଯାଇ ନଥିଲା। ଜେଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଥିଲା।
୧୯୯୯ ମସିହା ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୪ ଓ ୫ ତାରିଖ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ ଟିମ୍ । ତା’ ପୂର୍ବରୁ ବୁଧବାର ଜେଲରେ ଥିବା ବିବନର ଟିଆଇ ପରେଡ କରାଯାଇଛି। ଭୁବନେଶ୍ୱର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡ଼ା ଜେଲ୍ ଭିତରେ ଟିଆଇ ପରେଡ ହୋଇଛି। ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍। ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସିବିଆଇ କୋର୍ଟ। ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ।