ଚଳଚ୍ଚିତ୍ର ନିର୍ଦ୍ଦେଶକ ସାୱନ କୁମାରଙ୍କ ପରଲୋକ

ମୁମ୍ବାଇ,ଏଜେନ୍ସି: ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ସାୱନ କୁମାର ଟାକଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସାୱନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟରୁ ସେ ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସାୱନଙ୍କ ଜ୍ୱାଇଁ ନବୀନ କୁମାର କହିଛନ୍ତି ଯେ,”ହୃଦଘାତ ଓ ଏକାଧିକ ଅଙ୍ଗ ବିଫଳ ହେତୁ ତାଙ୍କର ମୃତ୍ୟୁ ଘଟିଛି ।” ଏ ଖବରକୁ ନେଇ ସମଗ୍ର ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

‘ସନମ ବେୱାଫା’, ‘ଚାନ୍ଦ କା ଟୁକୁଡା’ ଏବଂ ‘ସତୌନ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଭାବେ କାର୍ଯ୍ୟ କରିଛନ୍ତି ସାୱନ କୁମାର । ସାୱନଙ୍କ ପରଲୋକରେ ବଲିଉଡ ଜଗତ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ୧୯୭୨ରେ ‘ଗୋମତି କେ କିନାରେ’ ଚଳଚ୍ଚିତ୍ର ଜରିଆରେ ସେ ନିର୍ଦ୍ଦେଶନା ଜଗତରେ ପାଦ ଥାପିଥିଲେ । ଜଣେ ସଙ୍ଗୀତକାର ଭାବେ ସେ ‘ପ୍ୟାର କୀ କସଟି ମେଁ’, ‘ଜାନେମନ ଜାନେମନ’, ‘ଚାନ୍ଦ ସିତାରେ, ‘କହୋନା ପ୍ୟାର ହେ’ ଭଳି ଗୀତ ରଚନା କରିଥିଲେ । ସାୱନ ୧୯୬୭ ମସିହାରେ ଫିଲ୍ମ ନୈନିହାଲ୍ ସହିତ ନିର୍ମାତା ଭାବରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ । ଯେଉଁଥିରେ ସଞ୍ଜୀବ କପୁର ମୁଖ୍ୟ ଭୂମିକାରେ ଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସାୱନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସଲମାନ ଖାନ । ସାୱନ କୁମାରଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ସଲମାନ । ସାୱନଙ୍କ ନିର୍ଦ୍ଦେଶିତ ‘ସନମ ବେୱାଫା’ ଫିଲ୍ମରେ ସଲମାନ କାମ କରିଥିଲେ । ସେ ସୋସିଆଲ ମିଡ଼ିଆରେ ଶୋକ ପ୍ରକାଶ କରି ସାୱନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ‘ମୁଁ ସର୍ବଦା ତୁମକୁ ଭଲପାଏ ଓ ସମ୍ମାନ କରେ’ ବୋଲି ଲେଖିଛନ୍ତି ସଲମାନ । ଚଳିତ ବର୍ଷ ଆରମ୍ଭକୁ ଅନେକ ଫିଲ୍ମ ଜଗତରେ ଅନେକ ଚର୍ଚ୍ଚିତ ଚେହେରାକୁ ହରାଇଛି ବଲିଉଡ । ନିକଟରେ କୋକିଳକଣ୍ଠୀ ଲତା ମଙ୍ଗେସକର, କଣ୍ଠଶିଳ୍ପୀ କେକେ ଦୁନିଆକୁ ଅଲବିଦା କହିଛନ୍ତି ।