ପ୍ରାଥମିକ ସ୍ୱାସ୍ଥ୍ୟସେବା ହେବ ଆହୁରି ଉନ୍ନତ; ଓଡ଼ିଶାକୁ ୪୬୧ .୭୬ କୋଟିର ଅନୁଦାନ

୧୯ ରାଜ୍ୟକୁ କେନ୍ଦ୍ର ଦେଲା ୮,୪୫୩ କୋଟି ୯୨ ଲକ୍ଷ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ୱାସ୍ଥ୍ୟକ୍ଷେତ୍ର ଅନୁଦାନ ଆକାରରେ ୮,୪୫୩ କୋଟି ୯୨ ଲକ୍ଷ ଟଙ୍କା ଦିଆଯାଇଛି। ଓଡ଼ିଶାକୁ ଏଥିରେ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ମିଳିଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ଏହି ଅନୁଦାନ ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ପ୍ରଶାସନଗୁଡ଼ିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଦେବା ଲାଗି ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟରେ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ର ଅନୁଦାନ ଆକାରରେ ୭୦ ହଜାର ୫୧ କୋଟି ଟଙ୍କା ଥିଲା। ଏହି ଅର୍ଥ ମଧ୍ୟରୁ ୪୩ ହଜାର ୯୨୮ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ଏବଂ ୨୬ ହଜାର ୧୨୩ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିବା ଲାଗି ଅର୍ଥ ଆୟୋଗ କହିଥିଲେ। ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଅଭାବଗୁଡ଼ିକୁ ଦୂର କରିବା ସହିତ ଏହି କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଦାନ ଦିଆଯାଇଛି। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରତ୍ୟେକ୍ଷ ଆବଶ୍ୟକତାକୁ ଆୟୋଗ ଚିହ୍ନଟ କରିଥିଲେ। ତଦନୁଯାୟୀ ଆର୍ôଥକ ଅନୁଦାନର ବ୍ୟବସ୍ଥା କରାଯାଇଛି। ଯେପରି କି ଗ୍ରାମୀଣ କ୍ଷେତ୍ରରେ ଥିବା ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ୧୬ ହଜାର ୩୭୭ କୋଟି ଟଙ୍କା, ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୫ ହଜାର ୨୭୯ କୋଟି ଟଙ୍କା, ଗ୍ରାମାଞ୍ଚଳରେ ଅଟ୍ଟାଳିକା ନଥିବା ଉପ-ସ୍ୱାସ୍ଥ୍ୟକେନ୍ଦ୍ର, ଜନ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଟ୍ଟାଳିକା ନିର୍ମାଣ ପାଇଁ ୭ ହଜାର ୧୬୭ କୋଟି ଟଙ୍କା, ଗ୍ରାମାଞ୍ଚଳ ଜନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ୧୫ ହଜାର ୧୦୫ କୋଟି ଟଙ୍କା, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ୨,୦୯୫ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ୱେଲନେସ୍ କେନ୍ଦ୍ର ପାଇଁ ୨୪ ହଜାର ୨୮ କୋଟି ଟଙ୍କା ସହାୟତା ପ୍ରଦାନ ହୋଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ୧୩ ହଜାର ୧୯୨ କୋଟି ଟଙ୍କାର ସ୍ୱାସ୍ଥ୍ୟ ଅନୁଦାନ ଲାଗି ସୁପାରିସ କରାଯାଇଥିଲା। ଏହି ଅର୍ଥ ମଧ୍ୟରେ ଗ୍ରାମାଞ୍ଚଳ ପାଇଁ ୮ ହଜାର ୨୭୩ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ପାଇଁ ୪ ହଜାର ୯୧୯ କୋଟି ଟଙ୍କା ସାମିଲ ରହିଛି। ବିଶେଷ କରି ଅତ୍ୟାଧୁନିକ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ପ୍ରଶାସନଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ସ୍ଥାନୀୟ ପ୍ରଶାସନଗୁଡ଼ିକୁ ସମ୍ବଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ ମାଧ୍ୟମରେ ସୁଦୃଢ଼ କରାଯାଇପାରିଲେ ମହାମାରୀ ଓ ସଂକ୍ରାମକ ରୋଗ ମୁକାବିଲାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିବେ। ପଞ୍ଚାୟତିରାଜ ସଂସ୍ଥା ଏବଂ ନଗରପାଳିକାଗୁଡ଼ିକୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ସଂସ୍ଥାନଗୁଡ଼ିକର ପରିଚାଳକ ସଂସ୍ଥା ଭାବେ ସମ୍ପୃକ୍ତ କରାଯାଇପାରିଲେ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସ୍ଥାନୀୟ ପ୍ରଶାସନର ସମ୍ପୃକ୍ତି ଫଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଲୋକମାନଙ୍କ ପାଇଁ ଉତ୍ତରଦାୟୀ ହୋଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରିଆରେ ସମ୍ପୃକ୍ତ ରାଜ୍ୟମାନଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ଅବଶିଷ୍ଟ ରାଜ୍ୟମାନଙ୍କୁ ଅନୁଦାନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।