ତଦନ୍ତରେ କୌଣସି ଅବହେଳା ହୋଇନାହିଁ: ଉତ୍ତରାଞ୍ଚଳ ଡିଆଇଜି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମମିତା ନିଖୋଜ ମାମଲାର ଏଫ୍‌ଆଇଆରକୁ ପୁଲିସ ୩ ଦିନ ବିଳମ୍ବରେ କୋର୍ଟଙ୍କୁ ପ୍ରଦାନ କରିଛି ଏବଂ ଧାରା ୧୬୧ ଓ ୧୬୪ ଆଧାରରେ କୌଣସି ସାକ୍ଷୀଙ୍କର ବୟାନ ରେକର୍ଡ ହୋଇନାହିଁ। ଏହି ଦୁଇଟି ଅଭିଯୋଗ ଆଣି ମାମଲାକୁ ଜାଣିଶୁଣି ଦୁର୍ବଳ କରିବାକୁ ପୁଲିସ ଚେଷ୍ଟା କରୁଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଯାହାକୁ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ମମିତା ମେହେର ମାମଲାର ତଦନ୍ତ ସଠିକ ଢଙ୍ଗରେ ଚାଲିଛି ଏବଂ ସମସ୍ତ ଦୋଷୀଙ୍କୁ ଉପଯୁକ୍ତ ଶାସ୍ତି ମିଳିବ ବୋଲି ସେ କହିଛନ୍ତି।

ସମ୍ବଲପୁର ଠାରେ ସାମ୍ବାଦିକ ସମ୍ମିଳନୀ ଡାକି ଜିଆଇଜି କହିଛନ୍ତି ଯେ ଦାୟିତ୍ୱର ସହ ସଠିକ ଭାବେ ମାମଲାର ତଦନ୍ତ କରାଯାଉଛି। ମାମଲାରେ ଏଯାବତ୍ ୧୦ ଜଣ ସାକ୍ଷୀଙ୍କର ୧୬୧ ବୟାନ ରେକର୍ଡ ହୋଇଛି ଏବଂ ୧୬୪ରେ ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇସାରିଛି। କୋର୍ଟଙ୍କୁ ଏଫ୍‌ଆଇଆର ପ୍ରଦାନରେ ଆଦୌ ବିଳମ୍ବ ହୋଇନାହିଁ। ୧୩, ୧୪ ଓ ୧୫ ତାରିଖ ଦଶହରା ଛୁଟି ପଡ଼ିଥିବାରୁ ୧୬ ତାରିଖରେ କେସ୍ ଡାଏରୀ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଗତ ଅକ୍ଟୋବର ୧୩ ତାରିଖରେ ଥାନାରେ ଏତଲା ରୁଜୁ କରାଯାଇଥିଲା। ଏହି ଏତଲାକୁ ୨୪ ଘଣ୍ଟା ଭିତରେ ସିସିଟିଏନ୍‌ଏସ୍‌ରେ ଅପଲୋଡ୍ କରାଯାଇଥିଲା। ପୁଲିସ ପେସାଗତ ଭାବେ ସମସ୍ତ ସାଇଣ୍ଟିଫିକ୍‌, ଟେକ୍ନିକାଲ୍‌, ଫୋରେନ୍ସିକ୍ ତଥ୍ୟକୁ ଆଧାର କରି ତଦନ୍ତ କରୁଛି। ଯେଉଁ ସବୁ ଡକ୍ୟୁମେଣ୍ଟ ସଂଗ୍ରହ ହୋଇଛି ତାହା ସ୍ପଷ୍ଟ ଇଙ୍ଗିତ କରୁଛି ଅଭିଯୁକ୍ତ ହିଁ ପୀଡ଼ିତାଙ୍କର ହତ୍ୟା କରିଛି। ମାମଲାର ବିଚାର ବେଳେ ସେସବୁ ଯାଞ୍ଚ ହେବ ଏବଂ ଦୋଷୀ ନିଶ୍ଚିତ ଭାବେ ଦଣ୍ଡ ପାଇବ। ଅନ୍ୟପଟେ ପୀଡ଼ିତା ରାୟପୁର ଯାଇଥିବା ନେଇ ଏପର୍ଯ୍ୟନ୍ତ ପୁଲିସ ପାଖରେ ସେଭଳି କିଛି ତଥ୍ୟ ନାହିଁ ବୋଲି ଡିଆଇଜି କହିଛନ୍ତି।