ଚାଷୀଙ୍କୁ ବୀମା ରାଶି ପାଇଁ ଭୁଆଁ ଭୁଲାଉଛି କେନ୍ଦ୍ର, ସ୍ପଷ୍ଟ ହୋଇଛି ଏଚ୍‌ଡିଏଫ୍‌ସି ଏଗ୍ରୋ ଅଧିକାରୀଙ୍କ ଲିଖିତ ଚୁକ୍ତି ନାମାରୁ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର ଚାଷୀଙ୍କୁ ଫସଲ କ୍ଷୟକ୍ଷତି ବୀମା ରାଶି ପ୍ରଦାନ କରୁନି ଇନ୍ସୁରାନ୍ସ କମ୍ପାନୀ। ଫସଲ ବୀମା ଦାବିରେ ରାଜରାସ୍ତାକୁ ଓହ୍ଲାଉଛି ଜିଲ୍ଲାର ଚାଷୀ। କେତେବେଳେ ରାସ୍ତାରୋକ ତ କେତେବେଳେ କୃଷକ ଅଧିକାର ପଦଯାତ୍ରା ତ ପୁଣି କେତେବେଳେ ଧାରଣା। ନିଜ ହକ୍‌ ପାଇଁ ଲଢେଇ କରିଚାଲିଛି ଚାଷୀ ସଂଗଠନ। ଚଷୀଙ୍କୁ ବୀମା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚାଷୀଙ୍କୁ ବୀମା ରାଶି ନମିଳିବାର ପ୍ରମୁଖ କାରଣ ରହିଛି କେନ୍ଦ୍ର ସରକାରଙ୍କ ଉଦାସୀନତା। ଏହା ସ୍ପଷ୍ଟ ହୋଇଛି ଏଚ୍‌ଡିଏଫ୍‌ସି ଏଗ୍ରୋ ଅଧିକାରୀଙ୍କ ଲିଖିତ ଚୁକ୍ତି ନାମାରୁ।

ଦେବଗଡ଼ ଜିଲ୍ଲାର ବାଘବର, ପଲସମା, ନୁଆଁଡିହ, ଖିଲେଇ ଓ ଦନ୍ତାରୀବାହାଲ ଗ୍ରାମର ଚାଷୀଙ୍କୁ ବିଗତ ବର୍ଷର ଫସଲ ବୀମା ଆଜି ଯାଏଁ ମିଳିନଥିବା ବେଳେ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଏନେଇ ପୂର୍ବରୁ ବହୁବାର ଧାରଣା ବିକ୍ଷୋଭ ଭଳି ପଦକ୍ଷେପ ନିଆ ଯାଇଥିଲେ ସୁଦ୍ଧା ସେମାନଙ୍କ ଦାବି ପୂରଣ ନହେବାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସଙ୍ଘ ପକ୍ଷରୁ ଗତକାଲି ଠାରୁ କୃଷକ  ଅଧିକାର ପଦଯାତ୍ରା କରାଯାଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ଆରମ୍ଭ କରାଯାଇଥିଲା। ଫଳରେ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଏଚଡିଏଫସି ଇନ୍ସୁରାନ୍ସ କର୍ତ୍ତୃପକ୍ଷ, ପୁଲିସ ଓ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଏଚଡିଏଫସି ଏଗ୍ରୋର ଅଧିକାରୀ ଉପସ୍ଥିତ ରହି ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଟେକ୍ନିକାଲ ଆଡଭାଇଜରୀ କମିଟି ବୈଠକ ଅନୁଷ୍ଠିତ ନହେବା କାରଣରୁ ଅନେକ ସ୍ଥାନରେ ବୀମା ରାଶି ପ୍ରଦାନ ନେଇ କୌଣସି ନିଷ୍ପତ୍ତି ହୋଇ ପାରୁନଥିବା ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ଟେକ୍ନିକାଲ ଆଡ଼ଭାଇଜରୀ କମିଟି ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନେବାର ୭ ଦିନ ମଧ୍ୟରେ କମ୍ପାନୀ ପକ୍ଷରୁ ବୀମା ଟଙ୍କା ପ୍ରଦାନ କରାଯିବ ବୋଲି ଆନ୍ଦୋଳନକାରୀ ଚାଷୀଙ୍କୁ ଲିଖିତ ପ୍ରତିଶୃତି ଦେବା ପରେ ଜିଲ୍ଲା ପ୍ରଶାସନର ଅନୁରୋଧ ରକ୍ଷା କରି କୃଷକ ସଂଘର୍ଷ ସଙ୍ଘ ଧାରଣାରୁ ଓହରିଛି।