ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖୁଛନ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶାରେ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି। ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗଛି। କିନ୍ତୁ ରାଜ୍ୟକୁ ରିସ୍କ ରାଷ୍ଟ୍ରରୁ ଯାତ୍ରୀ ଆସୁଥିବାବେଳେ ମଧ୍ୟ ଏଯାବତ୍ ରାଜ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇନାହିଁ। ଏହାରି ମଧ୍ୟରେ ରାଜ୍ୟରେ ୪ ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ବିଦେଶ ଫେରନ୍ତା। ବିଶେଷ ଭାବରେ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଅନୁଗୁଳ ପରି ଅନେକ କିଛି ଜିଲ୍ଲାକୁ ଆସୁଛନ୍ତି ବିଦେଶ ଫେରନ୍ତା। ଯାହା ସେମାନେ ଏୟାର ସୁବିଧା ପୋର୍ଟାଲରେ ନିଜର ସେଲ୍ଫ ଡିକ୍ଳାରେସନ୍ ଦେଇଥାନ୍ତି। ଏପରିକି ଅନେକ ବ୍ୟକ୍ତିମାନେ ଭୁଲ ଡିକ୍ଳାରେସନ ଦେଇ ପ୍ରଶାସନକୁ ଚକମା ଦେଇ ରାଜ୍ୟକୁ ପ୍ରବେଶ କରୁଛନ୍ତି। ସେମାନଙ୍କ ସହ ଯୋଗାଯୋଗ ସମୟରେ ଅନେକ ମଧ୍ୟ ରାଜ୍ୟକୁ ଫେରି ନାହାନ୍ତି।

ଅନ୍ୟପଟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୧ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ ଆକ୍ରାନ୍ତ ଅଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରେ ୧୫ତଳେ ସଂକ୍ରମିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୧ ହଜାର ୪୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ୨୦୫ ଆକ୍ରାନ୍ତ ସୁସ୍ଥ ହେବା ଯୋଗୁଁ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୧୩୨ରେ ପହଞ୍ଚିଛି। ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଯୋଗୁଁ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ହଜାର ୪୩୩ରେ ପହଞ୍ଚିଛି।