କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଲୋକାର୍ପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାର କଣାସ ଅଞ୍ଚଳର ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଇଲେକ୍‍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନ ପରିସରରେ ଆୟୋଜିତ ଏକ ସାରସ୍ୱତ ସମାବେଶରେ ଶ୍ରୀ ପାଢ଼ୀଙ୍କର ଏହି ପ୍ରଥମ ସୃଜନଶୀଳ କୃତି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

୬୮ବର୍ଷ ବୟସ୍କ ଲେଖକ ଶ୍ରୀ ପାଢ଼ୀ ତାଙ୍କର ଏହି ଅନନ୍ୟ ଓ ଅନବଦ୍ୟ ସୃଷ୍ଟିରେ ବିସ୍ମୃତି ଗର୍ଭରେ ଲୀନ ହେବାକୁ ଯାଉଥିବା ପୌରାଣିକ କିମ୍ବଦନ୍ତୀ ଏବଂ ନୈତିକ ତଥା ମାନବିକ ଗୁଣବତ୍ତା ଆଧାରିତ ୪୫ଟି କାଳଜୟୀ ଲୋକକଥାର ପୁର୍ନଲିଖନକୁ ସାମିଲ କରିଛନ୍ତି। ବିଗତ ଚାରି ଦଶନ୍ଧି ଧରି ଓଡ଼ିଆ ଲୋକକଥା ସାହିତ୍ୟ ଉପରେ ନିରଳସ ଭାବେ ସାଧନାରତ ଥିବା ହାଡ଼ିବନ୍ଧୁ ପାଢ଼ୀ, ଯେଉଁ ସାହିତ୍ୟ ମାନବକୁ କ୍ଷମା ଦେବାକୁ ଶିଖାଏ, ସଂସ୍କାରର ମାର୍ଗ ଦର୍ଶାଏ, ଭଲ ପାଇବା ପାଇଁ ବତାଏ, ନ୍ୟାୟ, ସତ୍ୟ ଓ ଧର୍ମର ମାର୍ଗ ଦେଖାଏ ସେହି ସାହିତ୍ୟ ହିଁ ବାସ୍ତବରେ କାଳଜୟୀ ବୋଲି ଏହି ଅବସରରେ ଦର୍ଶାଇଛନ୍ତି।

ପୁସ୍ତକଟିର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀ ବେହେରା, ଶ୍ରୀ ପାଢ଼ୀ ତାଙ୍କ ବହିରେ ଯେଉଁ ବିରଳ ଲୋକପ୍ରିୟ ଲୋକକଥାଗୁଡ଼ିକୁ ସନ୍ନିବେଶିତ କରିଛନ୍ତି ତାହା ଆମର ଯୁବ ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ନିଶ୍ଚିତ ଭାବେ ଅଦମ୍ୟ ଆଦର୍ଶ ଓ ଅଫୁରନ୍ତ ପ୍ରେରଣାର ଉତ୍ସ ସ୍ଥାପିତ ହେବ ବୋଲି ଆଶା ପ୍ରକାଶ କରିଥିଲେ। ତେବେ ଏହି ପୁସ୍ତକଟିକୁ ବିଶ୍ୱଭରି ପାଠକମାନଙ୍କ ନିକଟରେ ପହୁଁଚାଇବା ପାଇଁ ଏହାର ଡିଜିଟାଲ ସଂସ୍କରଣ ପ୍ରକାଶ କରାଯିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।

ସାହିତ୍ୟିକ ସନ୍ତୋଷ କୁମାର ସାହୁଙ୍କର ସମ୍ପାଦନାରେ ମୁଦ୍ରିତ ଏହି ପୁସ୍ତକଟିକୁ ଭୁବନେଶ୍ୱରର ଝାରପଡ଼ାସ୍ଥିତ ଓସେନିକ ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି। ଲୋକାର୍ପଣ ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମ୍ମରେ ପ୍ରସିଦ୍ଧ ଐତିହାସିକ ଅନୀଲ ଧୀର, ଯୁବ ନେତା ଅରବିନ୍ଦ କାନୁନ୍‍ଗୋ, ମାନସ ତ୍ରିପାଠୀ, ସାମ୍ବାଦିକ ସନ୍ତୋଷ ସାହୁ ଓ ଶ୍ରୀକାନ୍ତ ପାଟ୍ଟଯୋଶୀ, ଆଇ.ଟି ବିଶେଷଜ୍ଞ ଏବଂ ଲେଖକଙ୍କ ପୁତ୍ର ବିଶ୍ୱରଞ୍ଜନ ପାଢ଼ୀ, ସମାଜସେବୀ ସୁବର୍ଣ୍ଣ କେଶରୀ ବଳିଆରସିଂହ ଓ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି।