କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତା ୪% ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ୧ ଜାନୁଆରୀ ୨୦୨୦ ଠାରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହି ବୃଦ୍ଧି ଦ୍ୱାରା ସରକାରଙ୍କ ଉପରେ ୧୪,୫୯୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟର ନିଷ୍ପତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଅଛନ୍ତି । ସରକାର ସେମାନଙ୍କର ମହଙ୍ଗା ଭତାକୁ ଚାରି ପ୍ରତିଶତକୁ ୧୭ ରୁ ୨୧ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।  ସେ କହିଛନ୍ତି ଯେ ତାଙ୍କ ସରକାର ପୂର୍ବରୁ ସପ୍ତମ ବେତନ ଆୟୋଗ ଆଣିଥିଲେ, ଯେଉଁଥିରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଥିଲା । ଆଜିର ନିଷ୍ପତିରେ ୧ କୋଟି ୧୩ ଲକ୍ଷ ପରିବାର ଉପକୃତ ହେବେ ବୋଲି ସେ କହିଛନ୍ତି ।