ଗଠନ ହେଲା ଇଭିନିଂ ସ୍କ୍ୱାର୍ଡ଼, ସିଲ୍ ହେଲା ପଲିଥିନ୍ ଦୋକାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ସଂଧ୍ୟାରେ ବିଏମସିର ସ୍କ୍ୱାର୍ଡ଼ ଠାବ କରିଥିଲେ କେତୋଟି ପଲିଥିନ୍ କ୍ୟାରୀବ୍ୟାଗ୍ ବିକ୍ରୟ କରୁଥିବା ଦୋକାନ। ସ୍ଥାନୀୟ ଏକ ନମ୍ବର ହାଟରେ ନିୟମକୁ ବେଖାତିର କରି ବ୍ୟାନ ହୋଇଥିବା ପଲିଥିନ୍ କ୍ୟାରୀବ୍ୟାଗ୍ ଓ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏନେଇ ଉକ୍ତ ପ୍ରତିଷ୍ଠାନମାନଙ୍କରୁ ୨,୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଜୋରିମାନା ନ ଦେବାରୁ ୨ଟି ଦୋକାନକୁ ସିଲ୍ କରିଦିଆଯାଇଛି।

ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ-୨୫ କେଜିଆ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟାଗ୍ ୪୦ ପ୍ୟାକେଟ୍, ଯାହାର ହାରାହାରି ଓଜନ ୧୦୦୦ କେଜି। ଥର୍ମୋକୁଲ୍ ଗ୍ଲାସ୍, ଗିନା ଏବଂ ପ୍ଲାଷ୍ଟିକ୍ ·ମଚ ୧୦ ପ୍ୟାକେଟ୍ ଯାହାର ହାରାହାରି ଓଜନ ୫୦୦ କେଜି। ତେବେ ଗୋଟିଏ ପରିଦର୍ଶନରେ ବଜାର ସ୍ଥାନରୁ ଏକକାଳୀନ ୧.୫ ଟନ୍ ସାମଗ୍ରୀ ଜବତ କରାଯିବାରେ ଏହା ପ୍ରଥମ ବୋଲି ଜଣାପଡ଼ିଛି। ସ୍ୱଚ୍ଛତା ଏବଂ ପରିମଳ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ଆରମ୍ଭ ହୋଇଛି ଆଉ ଏକ ନୂଆ ପଦକ୍ଷେପ। କେବଳ ଦିନରେ ନୁହେଁ ସାନ୍ଧ୍ୟାକାଳୀନ କାରବାର ସମୟରେ ମଧ୍ୟ ବୁଲିବେ ବିଏମସି ସ୍କ୍ୱାର୍ଡ଼। ତେଣୁ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଛି ଇଭିନିଂ ସ୍କ୍ୱାର୍ଡ଼।

ଚଳିତ ସପ୍ତାହରେ ସହରର ବିଭିନ୍ନ ଜୋନର ବଜାର ଅଞ୍ଚଳକୁ ବୁଲି ଦେଖିବା ସହିତ ତାଗିଦ୍ କରିଛି ଏହି ସ୍କ୍ୱାର୍ଡ଼। ସେଣ୍ଟ୍ରାଲ୍ ସ୍କ୍ୱାର୍ଡ଼ ଏବଂ ଜୋନାଲ୍ ସ୍କ୍ୱାର୍ଡ଼ର ମିଳିତ ପ୍ରୟାସରେ ଏହି ଅଭିଯାନ ଜାରି ରହିବ। ଏହି ସମୟର ସ୍ୱଚ୍ଛତା ଏବଂ ପରିମଳଗତ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରିବା ପାଇଁ ଏବେ ନିୟମିତ ଭାବେ ସାନ୍ଧ୍ୟା ଅଭିଯାନକୁ ଗୁରୁତ୍ୱ ଦିଆଯାଇଛି। ଏହା ସାଙ୍ଗକୁ ନିୟମ ଖିଲାପକାରୀଙ୍କୁ ଧରିବା ଏବଂ ସେମାନଙ୍କୁ ସ୍ୱଚ୍ଛତା ଅଭିମୁଖୀ କରାଇବାରେ ବିଏମସି ଏହି କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ।

ଗତ ୨୦୧୮ ଅକ୍ଟୋବରରୁ ୨୦୧୯ ଡ଼ିସେମ୍ବର ପର୍ଯ୍ୟନ୍ତ ଛୋଟ ବଡ଼ ବିଭିନ୍ନ ପ୍ରତିଷ୍ଠାନରୁ ପ୍ରାୟ ୧୦ ଟନ୍ ବେଆଇନ୍ ପ୍ଲାଷ୍ଟିକ୍/ପଲିଥିନ୍ ସାମଗ୍ରୀ ଜବତ କରାଯାଇଥିଲା। ପରବର୍ତୀ ସମୟରେ ଏହାକୁ ଏକ ପେଷାଦାର ସଂଗଠନକୁ ପୁନଃଚକ୍ରଣ ପାଇଁ କିଲୋ ପ୍ରତି ୫/-ଟଙ୍କା ଦରରେ ବିକ୍ରୟ କରାଯାଇଥିଲା। ପରବର୍ତୀ ସମୟରେ କୋଭିଡ଼-୧୯ ଜନିତ କଟକଣା ହେତୁ ଏହି ଏନଫୋର୍ସମେଣ୍ଟ ଅନେକ ମାସ ପାଇଁ ବନ୍ଦଥିଲା।