ଭୁବନେଶ୍ବରରେ ପହଞ୍ଚିଲା ରାଷ୍ଟ୍ରପତି ନିର୍ବାଚନ ସାମଗ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୧୮ ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏନେଇ ସମସ୍ତ ବ୍ୟବସ୍ଥା ହୋଇଛି । ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ ଭୋଟ ଗ୍ରହଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆସି ପହଞ୍ଚିଛି । କଡା ପୋଲିସ ସୁରକ୍ଷା ଭିତରେ ନିର୍ବାଚନ ଆନୁଷଙ୍ଗିକ ସରଞ୍ଜାମକୁ ବିଧାନସଭା ନିଆଯାଇଛି ।

ବିଧାନସଭା ପ୍ରଥମ ମହଲାର ରୁମ ନମ୍ବର ୫୪ରେ ଭୋଟ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି । ସମସ୍ତ ବିଧାନସଭା ସଦସ୍ୟ ସେଠାରେ ନିଜର ମତ ସାବ୍ୟସ୍ତ କରିବେ । ୧୮ ତାରିଖ ସକାଳ ୧୦ରୁ ୫ଟା ଯାଏ ମତଦାନ ଚାଲିବ ।

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ସେହିପରି ବିରୋଧୀ ଦଳ ଯଶୋବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ୧୬ ତମ ରାଷ୍ଟ୍ରପତି ନିର୍ବାଚନ ନେଇ ୧୮ରେ ଭୋଟ ଗ୍ରହଣ ହେବ ଏବଂ ୨୧ ତାରିଖରେ ଗଣତି ହେବ । ଚଳିତ ଥର ୨୩୩ ରାଜ୍ୟସଭା ସାଂସଦ, ୫୪୩ ଲୋକସଭା ସାଂସଦ, ୪୧୨୦ ରାଜ୍ୟ ବିଧାନସଭା ସଦସ୍ୟଙ୍କୁ ମିଶାଇ ମୋଟ ୪,୮୯୬ ନିର୍ବାଚିତ ଜନ ପ୍ରତିନିଧି ଭୋଟିଂରେ ଅଂଶଗ୍ରହଣ କରିବେ ।