ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେ କେହି ଆସିଲେ ସ୍ୱାଗତ କରାଯିବ: ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ନରେ ଓଏଚପିସି ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡକୋଲ) ଏବଂ ଜାତୀୟ ଜଳବିଦଶ୍ୟତ ନିଗମ (ଏନଏଚପିସି) ମଧ୍ୟରେ ରାଜ୍ୟରେ ସୌରଶକ୍ତି ଉତ୍ପାଦନ
ନିମନ୍ତେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ରକୁ ଜେଡକଲ ତରଫରୁ ମୁଖ୍ୟ ନିର୍ବାହୀ ଅଧିକାରୀ ଜି ଆର ଦାଶ ଏବଂ ଏନଏଚପିସି ତରଫରୁ ନିର୍ବାହୀ ନିର୍ଦ୍ଦେଶକ ଆରକେ ଜୟସ୍ୱାଲ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ମିଶ୍ର ତାଙ୍କ ମନ୍ତବ୍ୟ ରଖି କେନ୍ଦ୍ର ସରକାର ତାପଜ ବିଦ୍ୟୁତ ବଦଳରେ ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ପରିବେଶୀୟ ମଞ୍ଜୁରି ପ୍ରଦାନକୁ ଅଗ୍ରାଧିକାର ଦେବା ଉପରେ ଚିନ୍ତା କରିବା ଆବଶ୍ୟକ । କାରଣ ତାପଜ କେନ୍ଦ୍ରରୁ ଥରେ ଧୂଆଁ ବାୟୁମଣ୍ଡଳକୁ ନିର୍ଗତ ହେଲେ ତାକୁ ଫେରେଇ ଅଣାଯାଇ ପାରିବ ନାହିଁ କିନ୍ତୁ ଜଳବିଦ୍ୟୁତ ଯୋଜନା ପାଇଁ କଟା ଯାଇଥିବା ବୃକ୍ଷ ସ୍ଥାନରେ ନୂତନ ବୃକ୍ଷ ରୋପଣ କରାଯାଇ ପରିବେଶର ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି କହିଥିଲେ । ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେ କେହି ଆଗେଇ ଆସିଲେ ତାକୁ ସ୍ୱାଗତ କରାଯିବ ବୋଲି ସେ ମତ ରଖିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ଦିଗରେ ସର୍ବଦା ସମ୍ମତି ରହିଛି ବୋଲି ମନ୍ତ୍ରୀ କ୍ୟାପଟେନ ମିଶ୍ର କହିଥିଲେ । ଏ ନେଇ କ୍ୟାପଟେନ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହଙ୍କ ସହ ମଧ୍ୟ ଫୋନ ଯୋଗେ ବାର୍ତ୍ତାଳାପ କରି କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ । ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ ରାଜ୍ୟର ପାଖାପାଖି ୧୨ଟି ଜଳଭଣ୍ଡାରରେ ଭାସମାନ ଭାବେ ସ୍ଥାପିତ କରାଯିବ ଏବଂ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରୁ ପ୍ରାୟତଃ ୫୦୦ ମେଗାୱାଟ ଶକ୍ତି ଉତ୍ପାଦନ କରାଯାଇପାରିବ। ଏଥିପାଇଁ ପ୍ରାରମ୍ଭିକ ଭାବେ ୨୫୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ପ୍ରାଥମିକ କାର୍ଯ୍ୟଠାରୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ପ୍ରାୟ ୭ରୁ ୮ ମାସ ସମୟ ଲାଗିବ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷ ମଧ୍ୟରେ ସରିବ ବୋଲି ଆକଳନ କରାଯାଇଛି । ଏହା  ଦେଶର  ସର୍ବବୃହତ ପ୍ରକଳ୍ପ ଏବଂ ଏହା ବିଶେଷ ଭାବେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ  ଅଞ୍ଚଳରେ ସ୍ଥାପିତ ହେବ ।  ଏହା କାର୍ଯ୍ୟକାରୀ ହେଲେ ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

 ଆଜିର ଏହି କାର୍ଯ୍ୟକ୍ରମ ଜରିଆରେ ଭର୍ଚୁଆଲ ଭାବେ ଏକ ସଂକ୍ଷିପ୍ତ ଆଲୋଚନା ଆୟୋଜିତ ହୋଇ ପ୍ରକଳ୍ପ ସମ୍ପର୍କରେ  ବିଶେଷଜ୍ଞମାନେ ମତାମତ ଉପସ୍ଥାପନ କରିଥିଲେ । ଏଥିରେ ଶକ୍ତି ବିଭାଗ ପ୍ରମୁଖ ସଚିବ  ନିକୁଞ୍ଜ ବିହାରୀ ଧଳ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ, ଏନଏଚପିସିର ସ୍ୱାଧୀନ ନିର୍ଦ୍ଦେଶକ ଯୁଗଳ କିଶୋର ମହାପାତ୍ର, ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।