ଟ୍ୱିଟର ଅଫିସ ବନ୍ଦ କଲେ ମସ୍କ, ସହସ୍ରାଧିକ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଟ୍ୱିଟରରେ ଜାରି ରହିଥିବା ସମସ୍ୟା ଥମିବାର ନାଁ ନେଉନାହିଁ । ଏଲନ ମସ୍କ ଟ୍ୱିଟର ମାଲିକ ହେବା ପରେ କମ୍ପାନୀର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । କମ୍ପାନୀର ସମସ୍ତ ଅଫିସ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି ବୋଲି କର୍ମଚାରୀଙ୍କୁ ଟ୍ୱିଟର ଜଣାଇ ଦେଇଛି । ଏଥିସହିତ ଯେଉଁ କର୍ମଚାରୀ କମ୍ପାନୀର ନୂଆ ନିୟମକୁ ପାଳନ କରିବାକୁ ସହମତି ପ୍ରକାଶ କରୁନାହାନ୍ତି ସେମାନେ ଚାକିରି ଛାଡ଼ିପାରିବେ ବୋଲି ମସ୍କ କହିଛନ୍ତି । ମସ୍କଙ୍କ ନୂଆ ଘୋଷଣା ପରେ ସହସ୍ରାଧିକ କର୍ମଚାରୀ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏଲନ ମସ୍କ ନିକଟରେ ୧୨ ଘଣ୍ଟା ଡ୍ୟୁଟି ସହ ୱାର୍କ ଫ୍ରମ୍ ହମକୁ ବନ୍ଦ କରିବାକୁ ନେଇ କର୍ମଚାରୀଙ୍କ ଇମେଲ କରିଥିଲେ । ଉକ୍ତ ଇମେଲରେ ହସ୍ତାକ୍ଷର ନକଲେ ନଭେମ୍ବର ୧୭ ସୁଦ୍ଧା ୩ ମାସର ଆଗୁଆ ଦରମା ନେଇ କମ୍ପାନୀ ଛାଡ଼ିପାରିବେ ବୋଲି ଉଲ୍ଲେଖ କରାଯାଇଥିଲା । ଏହି ଆଦେଶ ପରେ ହିଁ କର୍ମଚାରୀମାନେ ଟ୍ୱିଟର ଛାଡ଼ି ଦେଇଛନ୍ତି ।