ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରୟାସ

ଭୁବନେଶ୍ବର,ଏନ୍ଏନ୍ଏସ୍: ନନ୍ଦନକାନନରେ ହାତୀ ‘ପ୍ରେମା’ ଅସୁସ୍ଥ । 68 ବର୍ଷ ବୟସ୍କା ମାଈ ହାତୀ ‘ପ୍ରେମା’ ଆର୍ଥ୍ରାଇଟିସ୍ ସହିତ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଛି । ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ । ଓୟୁଏଟିର ଏକ ଟିମ୍, ନନ୍ଦନକାନନ ଏବଂ ବିଶେଷଜ୍ଞମାନେ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

କିଛିଦିନ ପୂର୍ବେ ହାତୀ ବାସନ୍ତୀ ମଧ୍ୟ ପଡିଯିବାରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛି । ଅସୁସ୍ଥ ବାସନ୍ତୀ ହାତୀର ବୟସ ୫୯ ହୋଇଥିବାବେଳେ ପ୍ରେମାର ବୟସ 68ବର୍ଷ । ଉଭୟେ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ । ତେବେ ପ୍ରେମା ଅଧିକ ଅସୁସ୍ଥ ହୋଇ ପଡିଥିବା ଜଣାପଡ଼ିଛି । ନଖରେ ଆଘାତ ଥିବାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ଓୟୁଏଟି ବିଶେଷଜ୍ଞ ଦଳ ଚିକିତ୍ସା କରୁଥିବା ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ପ୍ରେମାକୁ ୨୧ ବର୍ଷ ହୋଇଥିବା ବେଳେ ତାମିଲନାଡୁର ଭନ୍ଦାଲୁର ଅଭୟାରଣ୍ୟରୁ ଅଣାଯାଇଥିଲା ।

ବର୍ତ୍ତମାନ ପ୍ରେମାକୁ ମିଶାଇ ନନ୍ଦନକାନନରେ ମୋଟ ୪ଟି ମାଈ ହାତୀ ଅଛନ୍ତି । ତେବେ ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ମୃତ୍ୟୁ ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ନନ୍ଦନକାନନରେ ପ୍ରେମାର ଅସୁସ୍ଥତା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।