ଗୁର୍ଜିମୁଣ୍ଡା ଗାଁରେ ପଶିଲା ହାତୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ବ୍ଲକ ଆମ୍ବପାଳି ପଞ୍ଚାୟତ ଓ ଟିଟିଲାଗଡ଼ ରେଞ୍ଜ ଅଧୀନସ୍ଥ ଗୁର୍ଜିମୁଣ୍ଡା ଗାଁରେ ଆଜି ସକାଳୁ ଏକ ହାତୀ ଗାଁ ଭିତରକୁ ପଶିଯାଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନେକ ଲୋକଙ୍କ ଚାଷ ଜମିର ପନିପରିବା ନଷ୍ଟ ହୋଇଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି । ଖବର ପାଇବା ପରେ ଟିଟିଲାଗଡ଼, ବେଲଗାଁ ଓ ସଇଁନ୍ତଲା ବନ ବିଭାଗ ପହଁଞ୍ଚି ହାତୀକୁ ଘୋଡ଼ାଇବା ପାଇଁ ଚେଷ୍ଟା କରୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ତେବେ ଏହି ଅଞ୍ଚଳକୁ ୩ ବର୍ଷ ପୂର୍ବରୁ ଦଳେ ହାତୀ ତେଲ ନଦୀ ପାର ହୋଇ କଳାହାଣ୍ଡିରୁ ଆସିଥିବା ସୂଚନା ରହିଥିବାବେଳେ ଏହି ହାତୀ ମଧ୍ୟ ତା’ ଦଳରୁ ବିଛିନ୍ନ ହୋଇ ନଦୀ ପାର କରି କଳାହାଣ୍ଡି ଜଙ୍ଗଲରୁ ଆସିଥିବା ସୂଚନା ମିଳିଛି । ହାତୀ ଗାଁକୁ ପଶି ଯାଇଥିବାବେଳେ ଲୋକେ ବିଲକୁ ମଧ୍ୟ ଯାଇ ପାରୁନାହାନ୍ତି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା କରିବା ସହ ବ୍ୟାପକ ବନପାଲକୁ ମୁତାୟନ କରାଯାଇଛି । କଳାହାଣ୍ଡିରୁ ଏବେ ବଲାଙ୍ଗିର ଜିଲ୍ଲାକୁ ହାତୀ ମୁହାଁ ହେଇଥିବା ନେଇ ଲୋକେ ହାତୀକୁ ଦେଖିବା ପାଇଁ ମଧ୍ୟ ଭିଡ଼ ଜମାଉଛନ୍ତି । ଘଟଣାସ୍ଥଳେ ଟିଟିଲାଗଡ଼ ରେଞ୍ଜର ଲିଙ୍ଗରାଜ ଭୋଇ ଓ ବନ୍ୟପ୍ରାଣୀ ସଂରକ୍ଷକ ବିକିଜୀ ନାଗଙ୍କ ସମେତ ବନ କର୍ମଚାରୀ ବିପିନ ସାହୁ, ସୁରେନ୍ଦ୍ର ମହାରଣା, ଅମ୍ବରେଶ ବୁଡ଼େକ, ଉଧବ ହରପାଲ ଓ ତପସ୍ୱିନୀ ରଣା ଉପସି୍ଥତ ଥିଲେ ।