ଭାରତୀୟ ଦୂତାବାସ ଉପରେ ପାକ୍ ସମର୍ଥକଙ୍କ ଅଣ୍ଡାମାଡ଼

ଲଣ୍ଡନ: ଭାରତ-ପାକିସ୍ତାନ ତିକ୍ତତା ଏବେ ଦୁଇ ଦେଶ ମଧ୍ୟରେ ସୀମିତ ହୋଇରହିନାହିଁ। ଭାରତର ବିଭିନ୍ନ ଐତିହାସିକ ପଦକ୍ଷେପ ପାକ୍ ସମର୍ଥକ ସହଜରେ ହଜମ କରିପାରୁନାହାନ୍ତି। ମଙ୍ଗଳବାର ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଉପରକୁ ପାକ୍ ସମର୍ଥକମାନେ ଢେଲାପଥର ଓ ଅଣ୍ଡାମାଡ଼ କରିଛନ୍ତି। ମାସକ ଭିତରେ ଦୂତାବାସ ବାହାରେ ଦୁଇଥର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହା ପୂର୍ବରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ପାକ୍ ସମର୍ଥକ ଓ ଖଲିସ୍ତାନୀ କର୍ମୀମାନେ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପଥର ଓ ଅଣ୍ଡାମାଡ଼ କରିଥିଲେ। ଏ ସମ୍ପର୍କରେ ଭାରତୀୟ ଦୂତାବାସ ବ୍ରିଟେନ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିକ୍ଷୋଭକାରୀମାନେ ଭାରତକୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ଧମକଚମକ ଦେଉଛନ୍ତି।

ଇତିମଧ୍ୟରେ ନୂଆଦିଲ୍ଲୀ ଓ ଲଣ୍ଡନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହୋଇଯାଇଛି। ବିକ୍ଷୋଭକାରୀଙ୍କ ଢେଲାମାଡ଼ ଓ ଅଣ୍ଡାମାଡ଼ର କିଛି ଫଟୋ ବ୍ରିଟେନ୍ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବିକ୍ଷୋଭକାରୀଙ୍କ ଢେଲାମାଡ଼ରେ ଦୂତାବାସର ମୁଖ୍ୟ ଦରଜା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୦ ହଜାର ଲୋକ ବିକ୍ଷୋଭରେ ଭାଗ ନେଇଥିଲେ ବୋଲି ଦୂତାବାସ ସୂତ୍ରରୁ ପ୍ରକାଶ।