ଚାଇନା କମ୍ପାନୀ ସାଓମି ପରେ ଭିଭୋରେ ଇଡିର ଚଢଉ

ନୂଆଦିଲ୍ଲୀ,ଏଜେନ୍ସି: ଚାଇନା କମ୍ପାନୀ ସାଓମି ପରେ ଇଡି ଟାର୍ଗେଟରେ ଭିଭୋ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଭିଭୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିହାର, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଞ୍ଜାବ, ହରିୟାଣା ସମେତ ଦେଶର ୪୦ରୁ ଅଧିକ ସ୍ଥାନରେ ଇଡି ପକ୍ଷରୁ ରେଡ ହୋଇଛି ।

ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ତଦନ୍ତ କରିଥିବା ବେଳେ ଗତକାଲି(ମଙ୍ଗଳବାର) ଇଡି ପକ୍ଷରୁ ଚଢାଉ କରାଯାଇଛି । ଏପ୍ରିଲରେ ଭିଭୋର ମାଲିକାନା ଏବଂ ଆର୍ଥିକ ରିପୋର୍ଟର ଅସଙ୍ଗତି ନେଇ ତଦନ୍ତ କରାଯାଇଥିଲା । ଏପ୍ରିଲରେ ଇଡି ଏହାର ବାଙ୍ଗାଲୁରୁ କାର୍ଯ୍ୟାଳୟରୁ ୫,୫୫୧ କୋଟି ଟଙ୍କା ଜବତ କରିଛି । ବେଆଇନ ଭାବେ କମ୍ପାନୀ ତାର ଆୟ ଭାରତ ବାହାରକୁ ପଠାଇଥିବା ଆଭିଯୋଗ ହୋଇଥିଲା । ଇଡିର କହିବା ଅନୁସାରେ, ଚାଇନାରେ ଅବସ୍ଥିତ ଏହାର ସହଯୋଗୀ କମ୍ପାନୀଙ୍କ ନିର୍ଦ୍ଦେଶରେ କମ୍ପାନୀ ରୟାଲିଟି ନାମରେ ଅର୍ଥ ଅପବ୍ୟବହାର କରୁଛି । ଏପରିକି ସମାନ ଆଇଏମଇଆଇ ନମ୍ବରରେ କଂପାନୀ ବିପୁଳ ପରିମାଣରେ ମୋବାଇଲ ବଜାରକୁ ଛାଡି କୋଟି କୋଟି ଟଙ୍କା ରୋଜଗାର କରୁଛି । ସୂଚନାଯୋଗ୍ୟ ପ୍ରତିଟି ମୋବାଇଲରେ ୧୫ ସଂଖ୍ୟା ବିଶିଷ୍ଟ ଏହି ଆଇଏମଇଆଇ ନମ୍ବରରେ ରହିଥାଏ ଯାହାକି ସ୍ମାର୍ଟ ଫୋନ ଚିହ୍ନଟରେ ସହାୟକ ହୋଇଥାଏ ।

ସେହିଭଳି ଚଳିତ ବର୍ଷ ଫେବୃଆରୀ ମାସରେ ଆୟକର ବିଭାଗ ଚାଇନାର ହ୍ବେଇ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଥିଲା । ଏହି ମାମଲାରେ ଦିଲ୍ଲୀ, ହରିୟାଣା, ବାଙ୍ଗାଲୋର ଏବଂ ଗୁରୁଗ୍ରାମରେ ଚଢାଉ କରାଯାଇଥିଲା । ଏହି ଚାଇନା କମ୍ପାନୀ ମାନେ ମୋବାଇଲରୁ ଭଲ ଅର୍ଥ ରୋଜଗାର କରୁଥିବା ବେଳେ ଦେଶ ବାହାରକୁ ଟଙ୍କା ପଠାଉଥିବା ନେଇ ଅଭିଯୋଗ ରହିଛି ।