ମଙ୍ଗଳାଯୋଡ଼ି, ରାଜହଂସ, ବଡ଼କୁଳକୁ ନୂଆ ଇକୋ-ଟୁର୍ ପ୍ୟାକେଜ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତଭାବେ ଭିତରକନିକା ଏବଂ ସାତକୋଶିଆକୁ ୨ଟି ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଆରମ୍ଭ କରାଯାଇଥିଲା। ଏହି ଦୁଇ ପ୍ୟାକେଜ୍ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଓଟିଡିସି ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ଆହୁରି କିଛି ସ୍ଥାନକୁ ଟୁର୍ ପ୍ୟାକେଜ୍ ବ୍ୟବସ୍ଥା କରାଯାଇଛି। ସପ୍ତାହ ଆରମ୍ଭରୁ ଏହି ପ୍ୟାକେଜର ସମ୍ପୂର୍ଣ୍ଣ ବୁକିଂ ଶେଷ ହୋଇଯାଉଥିବାରୁ ସୋମବାର ୩ଟି ଇକୋ-ଟୁରିଜିମ୍ ଦିନିକିଆ ପ୍ୟାକେଜ୍ ଟୁର୍ ଘୋଷଣା କରାଯାଇଛି।

ଏହା ମଧ୍ୟରେ ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଏବଂ ବଡ଼କୁଳ-କାଳିଜାଈ-ନଳବଣ ପ୍ୟାକେଜ୍ ରହିଛି। ପୂର୍ବ ନିର୍ଦ୍ଧାରିତ ଦାମ୍ ଅନୁଯାୟୀ ଜଣକ ପ୍ରତି ଭିତରକନିକାକୁ ସକାଳ ସାଢ଼େ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବାଧିକ ୧୭୦୦ ଟଙ୍କା ରହିଥିବା ବେଳେ ସାତକୋଶିଆକୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୯୦ ଟଙ୍କା ରହିଛି। ନୂତନ ପ୍ୟାକେଜ୍ ଅନୁଯାୟୀ ଚିଲିକା ମଙ୍ଗଳାଯୋଡ଼ିକୁ ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୧୨୭୦ ଟଙ୍କା, ଚିଲିକା ରାଜହଂସ ଟାପୁକୁ ୧୪୯୦ ଟଙ୍କା ଏବଂ ବଡ଼କୁଳକୁ ୧୪୧୦ ଟଙ୍କା ରହିଛି। ଭୁବନେଶ୍ୱର ପାନ୍ଥନିବାସରୁ ସ୍ୱତନ୍ତ୍ର ବସ୍ଗୁଡ଼ିକ ଯାତ୍ରୀମାନଙ୍କୁ ନେଇ ଗନ୍ତବ୍ୟସ୍ଥଳକୁ ଯିବ।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିବା ଏହି ପ୍ୟାକେଜ୍ରେ ପର୍ଯ୍ୟଟକଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ପ୍ରବେଶ ଶୁକ୍ଳ, ନୌକା ବିହାର, ଶୀତତାପ ନିୟନ୍ତ୍ରିତ ବସ୍ ଏବଂ ଜଙ୍ଗଲ ଗାଇଡ୍ର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଶନିବାର ଏବଂ ରହିବାର ପାଇଁ ପର୍ଯ୍ୟଟକ ଏହି ପ୍ୟାକେଜ୍ର ମଜା ଉଠାଇପାରିବେ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି। ଏଥିପାଇଁ ପର୍ଯ୍ୟଟକ ପାନ୍ଥନିବାସ ୱେବସାଇଟ୍ www.panthanivas.com ସହ ଫୋନ (୦୬୭୪-୨୪୩୧୫୧୫, ୨୪୩୦୭୬୪, ୨୪୩୫୬୧୮ନମ୍ବର ଯୋଗେ ବୁକିଂ କରିପାରିବେ।