ମମତାଙ୍କୁ ଇସିଙ୍କ ନୋଟିସ

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଚାଲିଥିବାବେଳେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ଭାଷଣକୁ କେନ୍ଦ୍ରକରି ଇସି ତାଙ୍କୁ ବୁଧବାର ନୋଟିସ ଜାରି କରିଛନ୍ତି। ଏପ୍ରିଲ ୩ରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ମମତା ହୁଗୁଳି ଜିଲ୍ଲାର ତାରକେଶ୍ୱରରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେବା ସମୟରେ କୁଆଡେ ସାଂପ୍ରଦାୟିକ ଢାଞ୍ଚାରେ ଭୋଟଭିକ୍ଷା କରିଥିଲେ। ମମତା କହିଥିଲେ ‘ ମୋର ସଂଖ୍ୟାଲଘୁ ଭାଇ ଓ ଭଉଣୀମାନେ, ଆପଣମାନେ ଏକଜୁଟ୍ ହୁଅନ୍ତୁ ଏବଂ ରାକ୍ଷସଙ୍କ କଥାରେ ପଡି ସଂଖ୍ୟାଲଘୁ ସଂପ୍ରଦାୟର ଭୋଟକୁ ବିଭାଜିତ ହେବାକୁ ଦିଅନ୍ତୁ ନାହିଁ’। ଏପରିକି ସଂଖ୍ୟାଲଘୁ ସଂପ୍ରଦାୟର କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଜେପି ନିକଟରୁ ଚାନ୍ଦାନେଇ ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ ଏହି ସଂପ୍ରଦାୟର ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ମମତା ଅଭିଯୋଗ ମଧ୍ୟ କରିଥିଲେ। ମମତାଙ୍କ ଏତାଦୃଶ ଭାଷଣ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଫଳରେ ଇସି ମମତାଙ୍କୁ ନୋଟିସ ଜାରିକରିବା ସହ ୪୮ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମମତା ଏହାଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି।