ଭୁବନେଶ୍ୱର,ଏନ୍ଏନ୍ଏସ୍: ନିକଟରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିବା “ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଶୁକ୍ରବାର ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ସୂଚନାଯୋଗ୍ୟ ଯେ, କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ’ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡିଆ ଭାଇ ଭଉଣୀମାନେ ଏହି ସଂଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ସେହିପରି ଗତ ଜୁନ ୭ ତାରିଖରେ ରାଜ୍ୟ ସରକାର “ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ। ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା, ବିଶାଳତା ଓ ବିବିଧତାକୁ ପ୍ରଦର୍ଶିତ କରୁଥିବା ଏହି ମହାନ ସଂଗୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଭାବକୁ ସୁଦୃଢ କରିବା ସହିତ ଓଡିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟାରେ ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଥିବା ଏହି ସଙ୍ଗୀତ ଏଣିକି ମାଧ୍ୟମିକ ସ୍ତରରେ ତଥା ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ ଗାନ କରିବା ସହ ଜାତୀୟତାବୋଧରେ ଉଦ୍ବୁଦ୍ଧ ହେବେ। ବିଦ୍ୟାଳୟସ୍ତରର ପିଲାଙ୍କ ମନରେ ଓଡ଼ିଆ ଜାତି ପ୍ରାଣ ମନୋଭାବ ସୃଷ୍ଟିର ଏହି ନିଆରା ପ୍ରଚେଷ୍ଟା ବାସ୍ତବିକ ବେଶ୍ ପ୍ରଶଂସନୀୟ ଓ ଆନ୍ତରିକତାର ସହ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି।