ଦୂରଦର୍ଶନ କ୍ୟାମେରାମ୍ୟାନ ହତ୍ୟାକାରୀ ନକ୍ସଲ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ନକ୍ସଲକୁ ଦାନ୍ତେୱାଡା ପୁଲିସ ଗିରଫ କରିଛି। ଗିରଫ ନକ୍ସଲ ଜଣକ ଦରଭା ଆକ୍ସନ ଟିମର ସଦସ୍ୟ କେଶା କୋହରାମ। ପୁଲିସ ତା’ ନିକଟରୁ ବିପୁଳ ପରିମାଣର ମାରଣାନ୍ତ୍ର ଜବତ କରିଛି। ସୂଚନା ଅନୁୂସାରେ, ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ କେଶା କୋହରାମକୁ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଖୋଜୁଥିଲା।

ଦୁଇ ରାଜ୍ୟ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ନିୟମିତ ଭାବେ କେଶାର ଗତିବିଧି ଉପରେ ପୁଲିସ ନଜର ରଖୁଥିଲା। ଦୁଇଦିନ ତଳେ କେଶା ଛତିଶଗଡର ନିଲାୱାୟା ଜଙ୍ଗଲରେ ଲୁଚି ରହିଥିବା ପୁଲିସକୁ ଖବର ମିଳିଥିଲା। ପରେ ଡିଆରଜି ଓ ପୋଟାଲି ପୁଲିସର ଏକ ମିଳିତ ଟିମ ତାକୁ ଧରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ।

ଅତି ଚତୁରତାର ସହ ପୁଲିସ ଜଙ୍ଗଲକୁ ଚାରିପଟରୁ ଘେରି ଯାଇଥିଲା। ବେଶ କିଛି ସମୟ ପାଇଁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ମଧ୍ୟ ହୋଇଥିଲା। ପରେ କେଶ ପୁଲିସ ହାତରେ ଧରାପଡିଥିଲା। ତା’ ନିକଟରୁ ପୁଲିସ ନକ୍ସଲ ପୋଷାକ, ଡିଟୋନେଟର, ବନ୍ଧୁକ ଆଦି ଜବତ କରିଛି। ଜେରା ବେଳେ ପୁଲିସ ତା’ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି।

ଉଲ୍ଲେଖଥାଉ କି, ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନ ସମୟରେ ଦାନ୍ତେୱାଡାର ଆରନପୁରକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୂରଦର୍ଶନ ଟିମ ଓ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ। ଫଳରେ ଘଟଣା କ୍ୟାମେରାମ୍ୟାନ ସହ ୨ଜଣ ଯବନ ସହିଦ ହୋଇଥିଲେ। ଏହି ଘଟଣାରେ ପୁଲିସ ଅନେକ ନକ୍ସଲଙ୍କୁ ଗିରଫ କରିଥିଲା। ହେଲେ କେଶା ଖସି ଯାଇଥିବାରୁ ପୁଲିସ ତାକୁ ଧରିବାକୁ ଉଦ୍ୟମ ଚଳାଇଥିଲା। ଏପରିକି କେଶାକୁ ଧରିବା ଲାଗି ସରକାର ୨ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। କେଶା ପ୍ରେସର ଆଇଇଡି ଓ ସ୍ପାଇକ ହୋଲ ଲଗାଇବାରେ ମାହିର ଥିବା ପୁଲିସ କହିଛି।