ପରିଶ୍ରମ ହିଁ ଉଦ୍ଭାବନର ଜନନୀ: ହାତରେ ତିଆରି କଲେ ଜଳ ଉତ୍ତୋଳନ ପ୍ରକଳ୍ପ

କେନ୍ଦୁଝର,ଏନ୍ଏନ୍ଏସ୍: ଦୃଢ଼ ଇଛା ଶକ୍ତି ଥିଲେ କିପରି ସମସ୍ୟା ଆପେ ଆପେ ସମାଧାନ ହୋଇଯାଏ ତାହାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ପତ୍ନୀ ସୀତା ମୁଣ୍ଡାଙ୍କୁ ସହଯୋଗ କରିବା ପାଇଁ ସଦର ବ୍ଲକ ରାଇକଳା ଗ୍ରାମ ପଞ୍ଚାୟତର ବନେଇକଳାଠାରେ ରହୁଥିବା ଲକ୍ଷ୍ମୀ ମୁଣ୍ଡା(୩୨) ଅଭିନବ ଉପାୟରେ ଜଳଉତ୍ତୋଳନର ଏକ ସମ୍ପୂର୍ଣ୍ଣ ହାତ ତିଆରି ବ୍ୟବସ୍ଥାକୁ ଆପଣେଇ ନେଇଛନ୍ତି। ଅଧ କିଲୋମିଟର ଦୂରରୁ ସ୍ତ୍ରୀଙ୍କ ହାତ ପାଆନ୍ତାରେ ପହଞ୍ଚାଇ ପାରିଛନ୍ତି ପାଣି। ତାହା ପୁଣି ନିଜସ୍ୱ ଉଦ୍ୟମରେ ଅଳ୍ପ ଖର୍ଚ୍ଚରେ।

ଲକ୍ଷ୍ମୀ ମୁଣ୍ଡାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସୀତା ଓ ୨ ପୁଅ। ଝୁମ୍ପୁରା ପଞ୍ଚାୟତ ସମିତି ଆଞ୍ଚଳିକ ମହାବିଦ୍ୟାଳୟରୁ +୨ ଶିକ୍ଷା ଗ୍ରହଣ କରିବା ପରେ ପାଠରେ ଡୋରି ଲାଗିଲା ଲକ୍ଷ୍ମୀଙ୍କର। ବନେଇକଳାର ଗାଁ ସାଥି ଭାବେ କାମ କରି ଗୁଜୁରାଣ ମେଣ୍ଟାଇ ପାରିଲେନି ସେ। ଚିନ୍ତା କଲେ କ’ଣ ଗୋଟିଏ କରି ପରିବାର ପ୍ରତିପୋଷଣ କରିବେ। ଗାଁ ରାସ୍ତା କଡ଼ରେ ଭଙ୍ଗା ଦଦରା ଘରେ ଛୋଟ ମୋଟ ଦୋକାନଟିଏ କଲେ। କିନ୍ତୁ ପାଣି ପାଇଁ ଅନେକ ସମସ୍ୟା ହେଲା।

ତାଙ୍କ ପତ୍ନୀ ସୀତା ପାଣି ପାଇଁ ରାତି ଅଧରେ ଅଧା କିଲୋମିଟର ଦୂରକୁ ଯାଇ ଅନେକ ସମସ୍ୟା ସମ୍ମୁଖୀନ ହେଉଥିବା ହୃଦୟଙ୍ଗମ କଲେ ଆଦିବାସୀ ଯୁବକ ଲକ୍ଷ୍ମୀ। ତେଣୁ ସେ ବଜାରରୁ ପ୍ରାୟ ୫ଶହ ମିଟର ଇଲେକ୍ଟ୍ରିକ ୱାରିଙ୍ଗ ପାଇପ୍,ଏକ ମିଟର ଲମ୍ବର ସ୍ପଞ୍ଜ, ଅଳ୍ପ ଟିକିଏ ଲୁହା ଜାଲି, ଟିଉବ୍ୱେଲରେ ବ୍ୟବହାର କରାଯାଉଥିବା ଗୋଟିଏ ଲୁହା ରଡ୍ ଏବଂ ଭାଲବ୍, ଗୋଟିଏ ବୋଲ୍ଟ ଓ ଦୁଇ ତିନି ଫୁଟ ପ୍ଲାଷ୍ଟିକ ପାଇପ୍ କିଣି ଆଣିଲେ। ତାଙ୍କ ପତ୍ନୀ ଜଙ୍ଗଲରୁ ପାଞ୍ଚ ଫୁଟ ଉଚ୍ଚତାର ଦୁଇଖଣ୍ଡ ଖୁଣ୍ଟ ଓ ଗୋଟିଏ ହ୍ୟାଣ୍ଡଲ ପାଇଁ ବ୍ୟବହୃତ କାଠ ସଂଗ୍ରହ କରି ଆଣିଲେ। ଉଭୟ ମିଶି କାମ ଆରମ୍ଭ କଲେ।

ଗାଁ ମୁଣ୍ଡରେ ଥିବା ସରକାରୀ ପୋଖରୀରୁ ନିଜ ଘର ପାଖକୁ ପାଣି ଆଣିବା ପାଇଁ କିଣି ଆଣିଥିବା ପାଇପ ପୋତି ଆଣିଲେ। ପରେ ପୋଖରୀର ପାଇପ୍ ମୁଣ୍ଡରେ ସ୍ପଞ୍ଜ ଓ କିଛି ତୁଳା ଦେବା ସହ ସ୍ପଞ୍ଜଟିକୁ ସୁରକ୍ଷା ଦେବା ପାଇଁ ତାର ଜାଲି ଘୋଡାଇ ଦେଲେ। ପାଇପ୍ ପହଞ୍ଚିଲା ଘର ଅଗଣାକୁ। ସେଠାରେ ପାଇପ୍ ମୁଣ୍ଡରେ ମାତ୍ର ଦୁଇ ଫୁଟ ଗଭୀର କରାଯାଇ ଏକ ନଳକୂପର ଭାଲବ ଲଗାଇବା ପରେ ଭାଲ୍ବରେ ଲୁହା ରଡଟି ସଂଯୋଗ କଲେ ଯୁବକ। ସ୍ତ୍ରୀ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା କାଠରେ ନଳକୂଅ ଭଳି ହ୍ୟାଣ୍ଡେଲ ଓ ବେସ୍ ତିଆରି ହେଲା। ହ୍ୟାଣ୍ଡଲ ବ୍ୟବହାର କରିବାରୁ ପାଣି ବାହାରିଲା। ଖୁସିରେ ଆତ୍ମହରା ହୋଇପଡିଲେ ଆଦିବାସୀ ଯୁବକ ଲକ୍ଷ୍ମୀ ମୁଣ୍ଡା।

ଏହାଦ୍ୱାରା ପାନୀୟ ସମସ୍ୟା ଦୂର ହେବାରୁ ସେ ବାଡ଼ିରେ ପନିପରିବା ଚାଷ ଆରମ୍ଭ କରିଛନ୍ତି। ବଗିଚାରେ ବଡ଼ ବଡ଼ ଲାଉ ଫଳାଇ ପାରିଛନ୍ତି ବଗିଚାରେ। ସେହି ଗାଁରେ ପାଣି ସମସ୍ୟା ଜଟିଳ। ଲକ୍ଷ୍ମୀ ମୁଣ୍ଡାଙ୍କର ହାତ ତିଆରି ନଳକୂଅରୁ ବନେଇକଳାର ପ୍ରାୟ ୨୦ ପରିବାର ବର୍ତ୍ତମାନ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ, ଏହି ନଳକୂଅରୁ ପାଣି ନେଇ ବନେଇକଳାସ୍ଥିତ ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଶାଗ ଓ ପିଆଜ ଚାଷ କରିଥିବା ପ୍ରକାଶ କରିଛନ୍ତି।