ଅନ୍ଧବିଶ୍ୱାସର ଅନ୍ଧଗଳିରେ ଓଡ଼ିଶା: ବର୍ଷକରେ ୬ ଜଣଙ୍କୁ ହତ୍ୟା

  • ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡାହାଣୀ ସନ୍ଦେହରେ ହତ୍ୟା ରୋକିବାକୁ ୨୦୧୫ରେ ଜାତୀୟସ୍ତରରେ ନିୟମ ପ୍ରଣୟନ କରାଯାଇଥିବା ବେଳେ ୨୦୧୩ରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏନେଇ ନିୟମ ପ୍ରଣୟନ କରାଯାଇଥିଲା। ତେବେ ଏହି ନିୟମର ଉଲ୍ଲଂଘନ ହୋଇଥିବା ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)। ଏନେଇ ନିଜ ଜବାବ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ନିକଟରେ ହୋଇଥିବା ଅଭିଯୋଗର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କମିଶନ। ଶ୍ରୀ ତ୍ରିପାଠୀଙ୍କ ପିଟିସନ ଅନୁଯାୟୀ, ୨୦୧୯ ଜାନୁଆରୀ ୩୦ରେ ସୁନ୍ଦରଗଡ଼ ଜିଲ୍ଲାରେ ଡାହାଣୀ ସନ୍ଦେହରେ ଜଣେ ମହିଳା ଏବଂ ତାଙ୍କ ୪ ଜଣ ନାବାଳକ ଶିଶୁଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଅଭିଯୁକ୍ତ ଥିବା ଗ୍ରାମର ଜଣେ ପୂଜାରୀକୁ ଗିରଫ କରାଯାଇଥିଲା। ଅନ୍ୟପଟେ ପୂର୍ବରୁ ପୁଲିସ ଡିଜିଙ୍କଠାରୁ ଏନେଇ ରିପୋର୍ଟ ତଲବ ହୋଇଥିଲା।

ରିପୋର୍ଟରୁ ଜଣାଯାଇଛି ଯେ, ଚଳିତବର୍ଷ ମାଲକାନଗିରିରୁ ଡାହାଣୀ ସନ୍ଦେହରେ ହତ୍ୟା ହୋଇଥିବା ନେଇ ତିନୋଟି ମାମଲା ଦାୟର ହୋଇଛି। ଏଥି ମଧ୍ୟରୁ ଗୋଟିଏ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଟି ମାମଲାର ଯାଞ୍ଚ ଚାଲିଛି। ସେହିପରି ଚଳିତବର୍ଷ ଜାନୁଆରୀ ୨୫ରେ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟଏକ ଘଟଣାରେ ଜଣେ ମହିଳା ଏବଂ ତାଙ୍କ ନାବାଳକ ପିଲା ସହ ୫ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଡାହାଣୀ ସନ୍ଦେହରେ ହତ୍ୟା ହୋଇଥିବା ନେଇ ଏହି ଘଟଣାଟି ଚଳିତବର୍ଷର ପ୍ରଥମ ଘଟଣା ଭାବେ ଲୋକଲୋଚନକୁ ଆସିଥିଲା।

ଫେବୃଆରୀ ୨୮ରେ ସୁନ୍ଦରଗଡ଼ ଜିଲ୍ଲା ବୋଲଙ୍ଗ ପୁଲିସ ଷ୍ଟେସନ ଅଞ୍ଚଳରେ ଡାହାଣୀ ସନ୍ଦେହରେ ଆଉ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାଛଡ଼ା ଡାହାଣୀ ସନ୍ଦେହରେ ହତ୍ୟା ଛଡ଼ା ମହିଳାଙ୍କୁ ଦୁଷ୍କର୍ମ, ଗ୍ରାମସଭାରେ ଅପମାନିତ କରିବା ଭଳି ଅନେକ ଘଟଣା ଲୋକଲୋଚନକୁ ଆସିଥିବା ନେଇ ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ ଏନଏଚଆରସିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ ଘଟଣା କେନ୍ଦ୍ର ସରକାରଙ୍କ ଡାହାଣୀ ସନ୍ଦେହରେ ହତ୍ୟା ରୋକିବାକୁ ନିୟମ ୨୦୧୫ ଏବଂ ରାଜ୍ୟ ସରକାରଙ୍କ ଡାହାଣୀ ସନ୍ଦେହରେ ହତ୍ୟା ରୋକିବାକୁ ନିୟମ ୨୦୧୩କୁ ଅବମାନନା କରୁଛି ବୋଲି ଶ୍ରୀ ତ୍ରିପାଠୀ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି।