‘କୋଟିଆ’ ମାମଲାର ଶୁଣାଣି ପୂର୍ବରୁ କାଗଜପତ୍ର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ୧୯ ତାରିଖରେ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। କୋଟିଆକୁ ନିଜର ବୋଲି ପ୍ରମାଣିତ କରିବା ପାଇଁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ରଖିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜେଇପଦର, ପାଟୁସିନେରୀ, ଫଗୁଣସିନେରୀ ଭଳି ଅଞ୍ଚଳ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ। ଏହାକୁ ନେଇ ୧୯୬୯ ମସିହାର ରେକର୍ଡ ପତ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆଗାମୀ ଶୁଣାଣି ପୂର୍ବରୁ ୧୭ ତାରିଖରେ ସୁପ୍ରିମକୋର୍ଟର ଏଓଆରଙ୍କ ସହ ଭିଡିଓ କନଫ୍ରେନ୍ସିଂରେ ଆଲୋଚନା ହେବ। ଏଥିରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।