କରୋନା ଚିକିତ୍ସା ପାଇଁ ପତଞ୍ଜଳି ଲଂଚ କଲା ‘ଦିବ୍ୟ କରୋନିଲ’

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ କୋଭିଡ-୧୯ର ଚିକିତ୍ସା ପାଇଁ ଆଜି ‘ଦିବ୍ୟ କରୋନିଲ’ ନାମକ ଏକ ଔଷଧ ଲଂଚ କରିଛନ୍ତି। ପତଞ୍ଜଳୀ ପକ୍ଷରୁ ଲଂଚ କରାଯାଇଥିବା ଦେଶର ଏହି ପ୍ରଥମ ଆୟୁର୍ବେଦିକ ଔଷଧର ପ୍ରୟୋଗ ଦ୍ୱାରା କରୋନା ରୋଗୀ ସୁସ୍ଥ ହୋଇଥିବା ରାମଦେବ ଦାବି କରିଛନ୍ତି। ଏହି ଅବସରରେ ବାବାଙ୍କ ସମେତ ପତଞ୍ଜଳୀର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଉପସ୍ଥିତ ଥିଲେ।
ରାମଦେବଙ୍କ କହିବାନୁସାରେ, କରୋନିଲ ଔଷଧକୁ ଯେଉଁ ରୋଗୀଙ୍କ ଉପରେ କ୍ଲିନିକାଲ ଟ୍ରାଏଲ କରାଯାଇଯାଇଥିଲା ସେମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ମାତ୍ର ୩ ଦିନରେ ସୁସ୍ଥ ହୋଇଥିଲେ। ଆଉ ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ କରୋନା ରୋଗୀଙ୍କ ରିପୋର୍ଟ ପଜିଟିଭରୁ ନେଗେଟିଭ ଆସିଥିଲା। ଦିବ୍ୟ କରୋନିଲ ଔଷଧ ୨୮୦ ଜଣଙ୍କ ଉପରେ ପ୍ରୟୋଗ କରାଯାଇଥିଲା।

ରାମଦେବ ଆହୁରି କହିଛନ୍ତି କି, ଆମ ଔଷଧରେ ସୁସ୍ଥହାର ୧୦୦ ପ୍ରତିଶତ ଥିବାବେଳେ ମୃତ୍ୟୁହାର ଶୂନ ରହିଛି। ଆମେ ସମସ୍ତ ବୈଜ୍ଞାନିକ ନିୟମକୁ ପାଳନ କରି ଏହି ଔଷଧ ପ୍ରସ୍ତୁତ କରିଛୁ।