ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡ଼ା, ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ବୋଡ଼େନ ବ୍ଲକ୍ ପଲସଦା ଗ୍ରାମର ଶ୍ରମିକ ଏଜେଣ୍ଟ ଶ୍ରୀନିବାସ ବେହେରା ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେ ୪୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କୁ କହିଥିଲେ।

ତେବେ ଜଣେ ଶ୍ରମିକଙ୍କ ନାମ ପଞ୍ଜୀକରଣ ବାବଦରେ ୭୦ ଟଙ୍କା ସରକାରୀ ଫି’ ରହିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରତ୍ୟେକ ଶ୍ରମିକ ପିଛା ପଞ୍ଜିକରଣ ପାଇଁ ୨୦୦ ଟଙ୍କା ଦାବି କରିଥିଲେ। ୨୦୦ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ଶ୍ରୀନିବାସଙ୍କ ଠାରୁ ମୋଟ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିଜ କାର୍ଯ୍ୟାଳୟରେ ଶ୍ରୀ ପାଣିଗ୍ରାହୀ ଧରାପଡ଼ିଥିବା ନେଇ ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଶ୍ରମ ଅଧିକାରୀମାନେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ନୂଆନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିବାର ନଜର ରହିଛି। ୨୦୧୫ରେ ନୂଆପଡ଼ାର ପୂର୍ବତନ ଶ୍ରମ ଅଧିକାରୀ ପଞ୍ଚାନନ ମଲ୍ଲିକଙ୍କୁ ମଧ୍ୟ ଭିଜିଲାନ୍ସ ଧରିଥିଲା।