ଜେଏନୟୁ ଛାତ୍ର ପ୍ରତିନିଧି ଦଳ ସହ ଏମ୍ଏଚ୍ଆରଡିର ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(ଏମ୍ଏଚ୍ଆରଡି)ର ସଚିବ ଅମିତ ଖାରେ ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ  ଶାସ୍ତ୍ରୀ ଭବନ ଠାରେ ଜେଏନୟୁର କୁଳପତି ପ୍ରଫେସର ଜଗଦୀଶ କୁମାର, ରେଜିଷ୍ଟ୍ରାର ଓ ବରିଷ୍ଠ ଅଧ୍ୟାପକମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିଥିଲେ। ଏହା ପରେ ଛାତ୍ର ସଂସଦ ସଭାପତି ସୁଶ୍ରୀ ଐଶୀ ଘୋଷଙ୍କ ନେତୃତ୍ୱରେ ଜେଏନୟୁର ଏକ ଛାତ୍ର ପ୍ରତିନିଧି ଦଳଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି।

ସୂଚନା ଅନୁସାରେ ଗତ ଡିସେମ୍ବର ୧୦ ଓ ୧୧ ତାରିଖରେଏମ୍ଏଚ୍ଆରଡି ସହ ବୈଠକର ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରଣାଳୟର ସଚିବଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। କୁଳପତି ପ୍ରଫେସର ଜଗଦୀଶ କୁମାର ଦର୍ଶାଇଥିଲେ ଯେ ଛାତ୍ରଛାତ୍ରୀଙ୍କ ଠାରୁ ଛାତ୍ରାବାସର ସେବା ଏବଂ ଉପଯୋଗିତା ଶୁଳ୍କ ଆଦାୟ କରାଯିବ ନାହିଁ। ଏ ସମ୍ପର୍କରେ ଗତ ୯ ତାରିଖରେ ଏକ ସର୍କୁଲାର ଜାରି କରାଯାଇଛି।

ଏହି ଶୁଳ୍କ ବହନ କରିବା ଲାଗି ୟୁଜିସିକୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟର ସଚିବଙ୍କ ସହିତ ଆଲୋଚନା ସମୟରେ ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି। ୟୁଜିସିର ଅଧ୍ୟକ୍ଷ ଡ. ଡିପି ସିଂଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ମାନବ ସମ୍ବଳ ବିକାଶ ସଚିବ ଆଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୟୁଜିସିକୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ସଚିବ ଶ୍ରୀ ଅମିତ ଖାରେ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି।