ବାଲେଶ୍ୱର ଜିଲ୍ଲା ଦୁର୍ଗାଦେବୀରେ ପ୍ରାଗ୍ ଐତିହାସିକ ସଭ୍ୟତାର ସନ୍ଧାନ

– ସମୟକାଳ ଥିଲା ଖ୍ରୀପୂ ୪ର୍ଥ ଶତାବ୍ଦୀରୁ ପ୍ରାୟ ଏକ ହଜାର ବର୍ଷ
– ରାଧାନଗର, ଶିଶୁପାଳଗଡ଼, ଅସୁରଗଡ଼ ଓ ଜଉଗଡ଼ ଭଳି ପ୍ରଚୀନ
– ପ୍ରାଚୀନ ସହର ଥିଲା, ଲୋକେ ଚାଷ କରି ଜୀବନ ଜିଉଁଥିଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମରେ ପ୍ରାଚୀନ ସହର ସହିତ ପ୍ରାଗ୍ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ତାହା ଶିଶୁପାଳଗଡ଼, ଅସୁରଗଡ଼ ଓ ଜଉଗଡ଼ ଭଳି ବହୁ ପ୍ରଚୀନ। ରାଜ୍ୟ ସଂସ୍କୃତି ବିଭାଗ ଅଧିନସ୍ଥ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ଓ ସର୍ବେକ୍ଷଣ ପରେ ତାହା ଜାଣିପାରିଛି। ଫଳରେ ଇତିହାସର ମୋଡ଼ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମିଳିଥିବା ସୂଚନାନୁସାରେ ଖ୍ରୀପୂ ୪ର୍ଥ ଶତାବ୍ଦୀ ଠାରୁ ପ୍ରାୟ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଶାରେ ବହୁ ସମୃଦ୍ଧ ନଗରୀମାନ ଗଢ଼ିଉଠିଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇଥିବା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଭତ୍‌ଖନନ ଓ ସର୍ବେକ୍ଷଣରେ ବହୁ ସହର ଓ ସଭ୍ୟତାର ଅନୁସନ୍ଧାନ ମିଳିଛି। ସେଗୁଡିକ ମଧ୍ୟରେ ଯାଜପୁର ଜିଲ୍ଲାର ରାଧାନଗର, ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼, ଗଞ୍ଜାମ ଜିଲ୍ଲାର ଜଉଗଡ଼ ଓ ଲାଠି ଏବଂ ପଶ୍ଚିମ ଓଡ଼ିଶାର ଅସୁରଗଡ଼, ବୁଦ୍ଧିଗଡ଼, ତାରପୁରଗଡ଼। କିନ୍ତୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରାଗ୍‌ ଐତିହାସିକ ସଭ୍ୟତା ଠାରୁ ଆରମ୍ଭ କରି ବୌଦ୍ଧ ଜୈନ୍ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଥିଲେ ହେଁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ କୌଣସି ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ମିଳିନଥିଲା। ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୧ରେ ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ବାଲେଶ୍ୱର ସହର ଠାରୁ ୨୦ କିମି ଦୂରରେ ଅବସ୍ଥିତ ରେମୁଣା ବ୍ଲକ୍ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଛି।

ପ୍ରତ୍ନତତ୍ତ୍ୱବିତ୍ ଡ. ସୁନୀଲ କୁମାର ପଟ୍ଟନାୟକ କହିଥିଲେ, ଦୁର୍ଗାଦେବୀର ପ୍ରତ୍ନତାତ୍ତ୍ୱିକ ଅବଶେଷର ପର୍ଯ୍ୟାଲୋଚନା ପରେ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତ୍‌ଖନନ ନିମନ୍ତେ ସ୍ୱୀକୃତି ପତ୍ର ମିଳିଥିଲା। ଉତ୍‌ଖନନ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ମେ’ ୫ ଯାଏ ଚାଲିଥିଲା। ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟଭାଗରେ ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଥିଲା। ଉଭୟ ପାର୍ଶ୍ୱରେ ଗଙ୍ଗାହାର ଓ ପ୍ରସନ୍ନ ନାଳ ଗଡ଼ଖାଇ ଭାବରେ ଅଦ୍ୟାବଧି ରହିଛି। ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ମିଳିଛି। ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ମାଗ୍‌, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ଉପଲବ୍ଧ ହୋଇଛି। ଏଥିସହ କଳା ଓ ଲାଲ୍ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଛି। ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନର ପ୍ରଥମ ପର୍ଯ୍ୟାୟରେ ଏହା ଆଜକୁ ପ୍ରାୟ ୪୦୦୦ ବର୍ଷ ପୁର୍ବ ବୋଲି ଜଣାପଡ଼ୁଛି।

ଓଡ଼ିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ଆଦି ଉପଲବ୍ଧ ହୋଇସାରିଛି। ଓଡ଼ିଶାର ପ୍ରାଗ୍‌ଐତିହାସିକ ଯୁଗ, ଯାହାକି ଏଠାରେ ତାମ୍ର-ପାଷାଣ ଯୁଗ ସମସାମୟିକ। ଖ୍ରୀଷ୍ଟ ପୂର୍ବ ୨୧୦୦ ରୁ ୧୦୦୦ ସମୟ କାଳ ମଧ୍ୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏବଂ ପରେ ପରେ ଖ୍ରୀଷ୍ଟ ପୂର୍ବ ୧୫୦୦ ରୁ ୬୦୦ ବର୍ଷ ସମୟ କାଳ ମଧ୍ୟରେ ଲୌହ ଯୁଗର ବିକାଶ ଏବଂ ଉନ୍ନତ ଲୌହ ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟ ପୂର୍ବ ୪୦୦ ବେଳକୁ ସହରୀ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀରୁ ପ୍ରାପ୍ତ ହୋଇଛି ବୋଲି ଡ. ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।