ପଦ୍ମ ଧରି ମମତା ସରକାରକୁ ଟାର୍ଗେଟ କଲେ ଦିନେଶ ତ୍ରିବେଦୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଲଗାତାର ଭାବେ ନିଜ ଦଳକୁ ସୁଦୃଢ଼ କରିବାରେ ଲାଗିଛି। ଆଉ ବିରୋଧୀ ଦଳର ବଡ଼ ବଡ଼ ନେତାକୁ ନିଜ ପାର୍ଟିରେ ସାମିଲ କରିଚାଲିଛି। ଏହି କ୍ରମରେ ବିଜେପିକୁ ଆଉ ଏକ ସଫଳତା ମିଳିଛି। ନିକଟରେ ତୃଣମୂଳ କଂଗ୍ରେସ ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିନେଶ ତ୍ରିବେଦୀ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲ ଓ ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ବିଜେପିରେ ଯୋଗଦେବା ସ୍ୱର୍ଣ୍ଣିମ ମୂହୁର୍ତ୍ତ ବୋଲି ଦିନେଶ କହିଛନ୍ତି।

ଦିନେଶ ତ୍ରିବେଦୀ ଆହୁରି କହିଛନ୍ତି ଯେ, ‘ଗୋଟିଏ ରାଜନୈତିକ ଦଳ ଏମିତି ହୋଇଥାଏ ଯେଉଁଠି ପରିବାର ସର୍ବୋପରି। ଆଜି ମୁଁ ସତରେ ଜନତାଙ୍କ ପରିବାରରେ ସାମିଲ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଜନତାଙ୍କ ସେବା। ମୁଁ ଏହା ପୂର୍ବରୁ ଯେଉଁ ଦଳରେ ଥିଲି ସେଠାରେ କେବଳ ଗୋଟିଏ ପରିବାରର ସେବା ହୋଇଥାଏ, ଜନତାଙ୍କର ନୁହେଁ। ପଶ୍ଚିମବଙ୍ଗରେ ଏମିତି ପରିସ୍ଥିତି ହୋଇଯାଇଛି କି ଲୋକେ ମୋତେ ଫୋନ୍ କରି କହୁଛନ୍ତି ଆପଣ ଏହି ପାର୍ଟିରେ କ’ଣ କରୁଛନ୍ତି। ବଙ୍ଗଳାରେ ଲଗାତାର ଭାବେ ହିଂସା ବଢ଼ି ଚାଲିଛି। ସେଥିପାଇଁ ବଙ୍ଗଳାରେ ବାସ୍ତବ ପରିବର୍ତ୍ତନ ହେବାକୁ ନେଇ ଜନତା ଖୁସି ଅଛନ୍ତି।’