ସୁଧୁରିବ ଶିକ୍ଷା ବ୍ୟବସ୍ଥା: ଆଗ ପିଲା ଛାଡ଼ିବେ ସ୍କୁଲ୍‌, ପରେ ଶିକ୍ଷକ

ଅଧାରୁ ସ୍କୁଲ୍ ଛାଡ଼ିଲେ ଜାରିହେବ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଶିକ୍ଷାସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ସେହି ଅନୁଯାୟୀ, ଉଭୟ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଡ୍ୟୁଟିକୁ ସୁବ୍ୟବସ୍ଥିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏଣିକି ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସର୍ବନିମ୍ନ ୬ ଘଣ୍ଟା କାର୍ଯ୍ୟ କରିବେ। ପୂର୍ବରୁ ରାଜ୍ୟର ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ଅଧ୍ୟାପକ, ଅଧ୍ୟାପିକାଙ୍କ ଲାଗି ୭ ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏବେ ସରକାରୀ ସ୍କୁଲରେ ଶିକ୍ଷକଙ୍କ ଲାଗି ୬ ଘଣ୍ଟା ବାଧ୍ୟତାମୂଳକ ନିୟମ ରାଜ୍ୟର ଶିକ୍ଷାକ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦୈନିକ ସ୍କୁଲ ଛୁଟି ହେବା ପରେ ସବୁ ଶିକ୍ଷକମାନେ ସ୍କୁଲ ଛାଡ଼ିବେ। ଦୈନିକ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ କେତେ ସମୟ ଶିକ୍ଷାଦାନ କରୁଛନ୍ତି ଏବଂ କେତୋଟି କ୍ଲାସ୍ ନେଉଛନ୍ତି ତାହାର ତଥ୍ୟ ମଧ୍ୟ ରହିବ। ଯେଉଁ ସ୍କୁଲରେ ଶିକ୍ଷକଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି, ସମ୍ପୃକ୍ତ ଶିକ୍ଷକଙ୍କ ତାଲିକା ଏବଂ କାରଣ ସମ୍ପର୍କରେ ପ୍ରଧାନଶିକ୍ଷକ ବ୍ଲକ୍ ଓ ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ଦେବେ।

ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୭ ହଜାର ୯୬୧ଟି ସ୍କୁଲ ରହିଛି। ପ୍ରାଥମିକ ବିଦ୍ୟାଳୟ ଲାଗି ୧ ଲକ୍ଷ ୩୦ ହଜାର ୫୧୬ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ଲାଗି ୬୬ ହଜାର ୮୧୦ ଶିକ୍ଷକ ରହିଛନ୍ତି। ମାଧ୍ୟମିକ ସ୍କୁଲ ନିମନ୍ତେ ପ୍ରାୟ ୭୭ ହଜାର ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ରାଜ୍ୟରେ ସର୍ବଶିକ୍ଷା ଯୋଜନାରେ ରାଜ୍ୟର ସବୁ ସ୍କୁଲଗୁଡ଼ିକରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ଶିକ୍ଷକମାନେ ଶିକ୍ଷାଦାନ ବ୍ୟତୀତ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ସ୍କୁଲର ବିଭିନ୍ନ କାର୍ଯ୍ୟ ଏବଂ ସରକାରୀ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟିହେଉଛି। ଏହି କାରଣରୁ ଅନେକ ସ୍କୁଲରେ କୋର୍ସ ମଧ୍ୟ ଠିକ୍ ସମୟରେ ଶେଷ ହୋଇପାରୁନି। ଆହୁରି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଅଧିକାଂଶ ଶିକ୍ଷକ ଠିକ୍ ସମୟରେ ସ୍କୁଲ ଆସୁନଥିବା ଅଭିଯୋଗ ହେଉଛି। ତେବେ ଶିକ୍ଷାଦାନରେ ଖିଲାପ କରୁଥିବା ଶିକ୍ଷକଙ୍କୁ ସାବାଡ଼ କରିବା ଲାଗି ପ୍ରଥମଥର ବିଭାଗ ପକ୍ଷରୁ ୬ଘଣ୍ଟିଆ ସମୟ ଧାର୍ଯ୍ୟ ହୋଇଛି। ଏଣିକି ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପସ୍ଥାନର ରିପୋର୍ଟ ପ୍ରଧାନଶିକ୍ଷକ ରଖିବେ।

ନିୟମକୁ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ଅବମାନନା କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଳମ୍ବରେ ଆସୁଛନ୍ତି, ସେମାନଙ୍କ ଦରମା ବନ୍ଦ୍ ହେବା ସହ ବଦଳି କରାଯିବ ବୋଲି ଜଣାପଡ଼ିଛି। କିଛି ଶିକ୍ଷକ ଓ ଅଣଶିକ୍ଷକ ସ୍କୁଲରେ ୨/୩ଘଣ୍ଟା ରହି ଗାଏବ ହୋଇଯାଉଥିଲେ। ସେହି ଶିକ୍ଷକ ଏବଂ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବେ ପ୍ରଧାନଶିକ୍ଷକ। ଏପରିକି ପ୍ରତି ମାସରେ ୪ଥର ବିଇଓ ସ୍କୁଲ ପରିଦର୍ଶନ କରିବା ସହ ଡିଇଓମାନେ ୨ଥର ପରିଦର୍ଶନ ସହ ରିପୋର୍ଟ ଯାଞ୍ଚ କରିବେ। ଯଦି ଶିକ୍ଷକଙ୍କୁ ରକ୍ଷା କରିବାକୁ ପ୍ରଧାନଶିକ୍ଷକ ଉଦ୍ୟମ କରନ୍ତି, ତେବେ ସେମାନଙ୍କ ବିରୋଧରେ ଜିଲ୍ଲାପାଳମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସବୁ ସ୍କୁଲରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ। ପହଞ୍ଚିବା ପରେ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ସ୍ୱତନ୍ତ୍ର ଉପସ୍ଥାନ ରେକର୍ଡରେ ଦସ୍ତଖତ କରିବା ବାଧ୍ୟତାମୂଳକ ହୋଇଛି। ସ୍କୁଲ ସମୟର ୩୦ମିନିଟ୍ ବିଳମ୍ବରେ ଯେଉଁ ଶିକ୍ଷକମାନେ ଆସିବେ ସେମାନଙ୍କର ସେ ଦିନ ଛୁଟି ତାଲିକାରେ ଗଣନା କରାଯିବ। ଲଗାତାର ଗୋଟିଏ ମାସରେ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ୪ଥର ଅନୁପସ୍ଥିିତ ତାଲିକାରେ ରହିବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଏହାବ୍ୟତୀତ ସକାଳ ୧୦ଟାରୁ ସ୍କୁଲ ଆରମ୍ଭ ହେଉଥିବା ବେଳେ ଅପରାହ୍ଣ ୪ଟା ପୂର୍ବରୁ କୌଣସି ଶିକ୍ଷକ ସ୍କୁଲ ଛାଡ଼ିପାରିବେ ନାହିଁ। ଯଦି ସ୍କୁଲ ଛାଡ଼ିବାକୁ ଚାହାନ୍ତିି, ତେବେ ଦରଖାସ୍ତ ମାଧ୍ୟମରେ ଯାଇପାରିବେ। ବିଳମ୍ବରେ ସ୍କୁଲ ଆସିଲେ କିମ୍ବା ୬ଘଣ୍ଟା ପୂର୍ବରୁ ସ୍କୁଲ ଛାଡ଼ିଲେ ସମ୍ପୃକ୍ତ ଶିକ୍ଷକଙ୍କ ଦରମା ବନ୍ଦ କରାଯିବ।

ଏ ସମ୍ପର୍କରେ ଜଣେ ଶିକ୍ଷକଙ୍କ କହିବା ଅନୁଯାୟୀ, ଯେଉଁ ଶିକ୍ଷକମାନେ କାର୍ଯ୍ୟରେ ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମାତ୍ର ସ୍କୁଲରେ ଶିକ୍ଷକମାନେ ପାଠପଢ଼ା ବ୍ୟତୀତ ପାଠ୍ୟପୁସ୍ତକ ବଣ୍ଟନ, ଖାଦ୍ୟ ବଣ୍ଟନ, ଜନଗଣନାକାର୍ଯ୍ୟ ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ତୁଲାଉଛନ୍ତି। କୋଭିଡ୍ ସମୟରେ ଶିକ୍ଷକମାନେ ନିଜ ଜୀବନକୁ ପାଣି ଛଡାଇ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଥିଲେ। ଫଳରେ କିଛି ଶିକ୍ଷକ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି। ତେଣୁ ଶିକ୍ଷକଙ୍କ ଯେଉଁସବୁ ସମସ୍ୟା ରହିଛି ତାହାର ସମାଧାନ ଉପରେ ବିଭାଗ ପକ୍ଷରୁ ପ୍ରଥମେ ଗୁରୁତ୍ୱ ଦିଆଯାଉ।