ଢାକା କାଫେ ଆତଙ୍କୀ ହମଲା ମାମଲା : ୭ ଜଣଙ୍କୁ ବାଂଲାଦେଶ କୋର୍ଟର ମୃତ୍ୟୁ ଦଣ୍ଡାଦେଶ

ଢାକା,ଏଜେନ୍ସି : ୨୦୧୬ ଜୁଲାଇ ୧ରେ ବାଂଲାଦେଶର ରାଜଧାନୀ ଢାକାରେ ଗୁଲସନ୍ ଦୂତାବାସ ଅଞ୍ଚଳରେ ଘଟିଥିବା ଆତଙ୍କୀ ହମଲାରେ ୭ ଜଣ ଦୋଷୀଙ୍କୁ ସ୍ୱତନ୍ତ୍ର ଆତଙ୍କବାଦ ନିରୋଧ କୋର୍ଟ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ତେବେ ଏହି ମାମଲାରେ ଜଣଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି। ଏହି ଆତଙ୍କୀ ହମଲାରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣ ନାଗରିକ ପ୍ରାଣ ହରାଇଥିଲେ। ୫ ଜଣ ବନ୍ଧୁକଧାରୀ ଏହି ଦୂତାବାସ ଅଞ୍ଚଳରେ ଥିବା ହୋଲେ ଆର୍ଟିସାନ୍ କାଫେ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ।

ବାଂଲାଦେଶ ଗଣମାଧ୍ୟମ ବିଡିନିଉଜ୍-୨୪ ସୂତ୍ରରୁ ପ୍ରକାଶ, ବିଚାରପତି ମହମ୍ମଦ ମୁଜିବୁର୍ ରହମନ୍ ବୁଧବାର ଦଣ୍ଡ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ଘଟିଥିବା ଏହି ଆତଙ୍କୀ ହମ୍ଲାରେ ୨ ଜଣ ପୁଲିସ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିଲେ। ଆତଙ୍କୀମାନେ କାଫେରେ ପଶି କେତେକ ଲୋକଙ୍କୁ ପଣବନ୍ଦୀ କରି ରଖିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଦୋଷୀମାନେ ହେଲେ ଜାହାଙ୍ଗୀର ହୁସେନ୍ ଓରଫ ରାଜୀବ ଗାନ୍ଧୀ, ରକିବୁଲ୍ ହାସନ୍ ରେଗା, ଅସଲାମ୍ ହୁସେନ୍ ଓରଫ ରସିଦ୍ଦୁଲ୍ ଇସଲାମ୍ ଓରଫ ରାସ୍, ଅବଦୁସ୍ ସବୁର୍ ଖାନ୍ ଓରଫ ସୋହେଲ୍ ମେହଫୁଜ, ହଦିସୁର୍ ରହମନ୍ ସାଗର, ସରିଫୁଲ୍ ଇସଲାମ୍ ଖାଲେଦ ଓରଫ ଖାଲିଦ୍ ଓ ମାମୁନୁର୍ ରସିଦ୍ ରିପନ୍।

ଏହି ମାମଲାରେ ଅନ୍ୟ ଜଣେ ସନ୍ଦିଗ୍ଧ ମିଜାନୁର୍ ରହମନ୍ ଓରଫ ବୋରୋ ମିଜାନଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ବୁଧବାର କୋର୍ଟ ଦଣ୍ଡ ଘୋଷଣା କରିବାକୁ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସରକାରୀ ପକ୍ଷର ଓକିଲ ୮ ଜଣ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବାକୁ ଦୃଢ଼ ଯୁକ୍ତି ବାଢ଼ିଥିଲେ। ଏହି ୮ ଜଣ ହେଲେ ବେଆଇନ ଘୋଷିତ ଆତଙ୍କୀ ସଂଗଠନ ଜମାତ୍-ଉଲ୍-ମୁଜାହିଦ୍ଦିନ୍ ବାଂଲାଦେଶ (ଜେଏମବି)ର ସଦସ୍ୟ।