ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ । ଆଣ୍ଡାମାନ ସାଗର ନିକଟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି (ଅକ୍ଟୋବର ୨୩) ସକାଳ ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ଦିଗକୁ ଗତିକରି ପରେ ଦିଗ ବଦଳାଇବ । ଦିଗ ବଦଳାଇ ପରେ ଏହା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଆକଳନ କରାଯାଉଛି ।

ଏହାପରେ ଆସନ୍ତା ୨୫ ତାରିଖ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ । ବାତ୍ୟା ପ୍ରଭାବରେ ଆସନ୍ତା ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇ ପରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୨୪ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଥିଲାଗି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ଅକ୍ଟୋବର ୨୩ ତାରିଖରୁ ପ୍ରଥମେ ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । ଧୀରେ ଧୀରେ ଏହା ଅକ୍ଟୋବର ୨୪ ତାରିଖ ବେଳକୁ ୪୫ରୁ ୫୫ ଓ ୨୫ ତାରିଖ ବେଳକୁ ୫୦ରୁ ୭୦ କିମି ପର୍ଯ୍ୟନ୍ତ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି ।