+୩ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗର ଆଶ୍ୱାସନା, ବଢ଼ିବ ଅନର୍ସ ସିଟ୍‌!

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୨୦୨୧-୨୨ ଶିକ୍ଷାବର୍ଷ ଲାଗି +୩ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଛି। ଚଳିତବର୍ଷ ବିକଳ୍ପ ବ୍ୟବସ୍ଥାରେ +୨ ମାର୍କିଂ କରାଯାଇଥିବାରୁ ପାସ୍ କରିଥିବା ପିଲାଙ୍କ ସଂଖ୍ୟା ସର୍ବାଧିକ ରହିଛି। ଫଳରେ +୩ ନାମ ଲେଖା ପାଇଁ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ସିଟ୍ ସଂଖ୍ୟା ୧୦%ରୁ ୨୦% ବୃଦ୍ଧି କରାଯାଇଥିଲା। ତେବେ ଚଳିତବର୍ଷ ଅନର୍ସ ସିଟ୍ ଲାଗି ଛାତ୍ରଛାତ୍ରୀ ଚିନ୍ତିତ ଥିବା ଜଣାପଡ଼ିଛି। କାରଣ ସିଟ୍ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନର୍ସ ସିଟ୍‌ରେ ବୃଦ୍ଧି ଘଟିନି। ସର୍ବାଧିକ କଲେଜଗୁଡିକରେ ବିଭିନ୍ନ ବିଷୟର ଅନର୍ସ ସିଟ୍ ସଂଖ୍ୟା ୧୪ରୁ ୨୧ ମଧ୍ୟରେ ରହିଛି।

ଦୀର୍ଘଦିନ ହେବ ଅନର୍ସ ସିଟ୍ ସଂଖ୍ୟା ବଢ଼ାଯାଇ ନାହିଁ। ଫଳରେ ଚଳିତବର୍ଷ ଅନର୍ସ ସିଟ୍ କେଉଁ ଆଧାରରେ ମିଳିବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ତେବେ ଅନର୍ସ ଲାଗି ବିକଳ୍ପ ବ୍ୟବସ୍ଥାରେ ମାର୍କିିଂ କିମ୍ବା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ତାହା ଚୂଡାନ୍ତ ହୋଇନାହିଁ। ଆଗକୁ +୨ ସ୍ୱତନ୍ତ୍ର ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି +୩ ପ୍ରଥମ ବର୍ଷ ନାମଲେଖା ଲାଗି ବ୍ୟବସ୍ଥା କରାଯିବ। ସେହି ପ୍ରକ୍ରିୟା ଶେଷ ହେବା ପରେ କେଉର୍ ଛାତ୍ରଛାତ୍ରୀଙ୍କୁ ଅନର୍ସ ସିଟ୍ ମିଳିବ ସେ ନେଇ ନିଷ୍ପତ୍ତି ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

+୨ ପରେ ଅନେକ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାରେ ସାମିଲ ହେବାକୁ ପସନ୍ଦ କରୁଥିବାରୁ ପୂର୍ବରୁ +୩ରେ ସିଟ୍ ଖାଲି ରହୁଥିଲା। ମାତ୍ର ଗତ କିଛି ବର୍ଷ ହେବ ବୈଷୟିକ ଶିକ୍ଷା ଠାରୁ ପିଲାମାନେ ଦୂରେଇ ଯାଇଥିବାରୁ ପ୍ରାୟ ୩ବର୍ଷ ହେବ +୩ ପାଠ୍ୟକ୍ରମରେ ସିଟ୍ ଖାଲିପଡୁନି। ମାତ୍ର +୩ ନାମଲେଖାଉଥିବା ଛାତ୍ରଛାତ୍ରୀମାନେ ଅନର୍ସ ପ୍ରତି ସର୍ବାଧିକ ଆଗ୍ରହ ରଖୁଛନ୍ତି। ଦିର୍ଘ ୧୦ବର୍ଷ ହେବ ଅନେକ କଳେଜରେ ଅନର୍ସରେ ସିଟ୍ ବୃଦ୍ଧିପାଇନି। ଫଳରେ ଚଳିତବର୍ଷ ଅନର୍ସ ମିଳିବ କି ନାହିଁ ତାକୁ ନେଇ ଛାତ୍ରଛାତ୍ରୀ ବିଚଳିତ ଅଛନ୍ତି। ଅପରପକ୍ଷେ ଚଳିତ ବର୍ଷ ଅନର୍ସ ନାମଲେଖା ପ୍ରକ୍ରିୟାରେ କିଛିପରିବର୍ତ୍ତନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଫଳରେ ମେଧାବୀମାନେ ନିଜ ପସନ୍ଦର ଅନର୍ସ ପଢ଼ିବାର ସୁଯୋଗ ପାଇବେ। ତେବେ ପ୍ରଥମ ଏବଂ ୨ୟ ପର୍ଯ୍ୟାୟରେ ଯେଉଁ ଛାତ୍ରଛାତ୍ରୀ ନାମଲେଖାଇବେ ସେମାନଙ୍କୁ ଅନର୍ସରେ ପଢ଼ିବାକୁ ପ୍ରଥମ ସୁଯୋଗ ଦିଆଯିବ। ସେହିପରି +୨ ସ୍ୱତନ୍ତ୍ର ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ପାସ୍ କରି ନାମଲେଖାଇବେ ସେମାନଙ୍କ ଲାଗି ମଧ୍ୟ ଅନର୍ସ ସିଟ୍‌ଗୁଡିକରେ ସଂରକ୍ଷିତ ବ୍ୟବସ୍ଥା କରାଯିବ।

ଚଳିତବର୍ଷ ଅନର୍ସ ସିଟ୍ ବଢିବ ବୋଲି ପୂର୍ବରୁ ସୂଚନା ମିଳିଥିଲେ ହେଁ ତାହା ସ୍ପଷ୍ଟ ହୋଇପାରିନାହିଁ। ଅପରପକ୍ଷେ ଚଳିତବର୍ଷ ଅନର୍ସରେ ନାମଲେଖା ଲାଗି ଏକ ପ୍ରକାର ପ୍ରବେଶିକା ପରୀକ୍ଷା କରାଯିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ତାହା କାର୍ଯ୍ୟକାରୀ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଅଧିକାଂଶ ବିଷୟରେ ଅନର୍ସ ସିଟ୍ ୨୪ ମଧ୍ୟରେ ସୀମିତ ଥିବାବେଳେ ବାଣିଜ୍ୟର କିଛି ବିଷୟରେ ସିଟ୍ ସଂଖ୍ୟା ୧୬ ମଧ୍ୟରେ ରହୁଛି। ତେବେ କଲେଜର ଭିତ୍ତିଭୂମି, ଅଧ୍ୟାପକଙ୍କ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ନଜର ଦେଇ କଲେଜରେ ଅନର୍ସ ସିଟ୍ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ନିଶ୍ଚିତ ଭାବେ ଅନର୍ସ ସିଟ୍ ପାଇପାରିବେ। ତେଣୁ ଏଥିଲାଗି ବିଚଳିତ ନହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।