ପଦ୍ମ ପୁରସ୍କାର-୨୦୨୦: ସମ୍ମାନିତ ହେଲେ ୧୧ ଓଡ଼ିଆ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୨୦୨୦ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧୯ ଜଣ ପଦ୍ମ ବିଜେତାଙ୍କୁ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୧ ଓଡ଼ିଆଙ୍କୁ ମଧ୍ୟ ପଦ୍ମ ପୁରସ୍କାର ମିଳିଛି।

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ମରଣୋତ୍ତର ଭାବେ ବିଶିଷ୍ଟ ସାରସ୍ୱତ ସାଧକ, ବାଗ୍ମୀ ପ୍ରଫେସର ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଏପ୍ରିଲ ୨୭ ତାରିଖରେ ଶ୍ରୀ ଦାସଙ୍କ ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ପାଇଁ ଝିଆରି ଡ. ସଂଘମିତ୍ରା ଦାସ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମରେ ଅନ୍ୟ ୧୦ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଆମେରିକାରେ କାର୍ଯ୍ୟରତ ଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଓଡ଼ିଆ ପୁଅ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି।

ସେହିଭଳି ଚଇତି ଘୋଡ଼ା ନୃତ୍ୟକୁ ଦୀର୍ଘ ୬ ଦଶକ ଧରି ରାଜ୍ୟ ଏବଂ ରାଜ୍ୟ ବାହାରେ ଲୋକପ୍ରିୟ କରିଥିବା ଗୁରୁ ଉଚ୍ଛବ ଚରଣ ଦାସଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ଦିଆଯାଇଛି। କଳା ବର୍ଗରେ ଆଉ ଦୁଇ ଓଡ଼ିଆ ମଧ୍ୟ ସମ୍ମାନିତ ହୋଇଛନ୍ତି। ଲୋକପ୍ରିୟ ‘ରଙ୍ଗବତୀ’ ଗୀତର ଗୀତିକାର ତଥା ୧୦୦୦ରୁ ଉର୍ଦ୍ଧ୍ୱ ଲୋକଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କୁ ମିଳିଛି ପଦ୍ମଶ୍ରୀ। ସେହିଭଳି ଗତବର୍ଷ ପ୍ରାଣ ହାରିଥିବା ବିଶିଷ୍ଟ ସିନେ ନିର୍ମାତା, ନିର୍ଦ୍ଦେଶକ ଏବଂ ଲଗାତାର ୮ଟି ଜାତୀୟ ପୁରସ୍କାର ହାତେଇଥିବା ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ଦିଆଯାଇଛି। ତାଙ୍କ ଅବର୍ତ୍ତମାନରେ ପୁଅ ଆଶୁତୋଷ ମହାପାତ୍ର ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିଲେ।

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ସାନ୍ତାଳି ଲେଖିକା ତଥା ଜନଜାତି ଗବେଷକ ଡ. ଦମୟନ୍ତୀ ବେଶ୍ରା ଏବଂ ଓଡ଼ିଶାର ଗାଁ ଗାଁରେ ପାଟଦେଇ ଭାବେ ପରିଚିତ ବିଶିଷ୍ଟ ଗାଳ୍ପିକା ତଥା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ବୀଣାପାଣି ମହାନ୍ତିଙ୍କୁ ମଧ୍ୟ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଅନ୍ୟପଟେ ରାଜ୍ୟର ବହୁ କୃଷକଙ୍କ ଲାଗି ପ୍ରେରଣାର ସ୍ରୋତ ସାଜିଥିବା ବିଶିଷ୍ଟ ମାଛଚାଷୀ ବଟକୃଷ୍ଣ ସାହୁ, ଜୈବିକ ଚାଷ ପଦ୍ଧତିରେ ସୁନାର ଫସଲ ଫଳାଇଥିବା ବାପ-ଝିଅ ଯୋଡ଼ି ପ୍ରଫେସର ରାଧାମୋହନ ଏବଂ ସାବରମତିଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

ଚଳିତ ବର୍ଷ ପ୍ରଫେସର ରାଧାମୋହନଙ୍କର ବିୟୋଗ ହୋଇଯାଇଥିବାରୁ ତାଙ୍କପାଇଁ ପତ୍ନୀ ବିଜୟଲକ୍ଷ୍ମୀ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ଚଣ୍ଡୀଗଡ଼ ସ୍ଥିତ ପିଜିଆଇଏମ୍‌ଇଆରରେ କାର୍ଯ୍ୟରତ ଥିବା ଦେଶର ଜଣେ ବିଶିଷ୍ଟ ଫୁସ୍‌ଫୁସ ରୋଗ ବିଶେଷଜ୍ଞ କଟକର ପ୍ରଫେସର ଡା ଦିଗମ୍ବର ବେହେରାଙ୍କୁ ମେଡିସିନ କ୍ଷେତ୍ରରେ ପଦ୍ମ ସମ୍ମାନ ପ୍ରଦାନ ହୋଇଛି। ପ୍ରକାଶ ଯେ ଗତବର୍ଷ ଜାନୁଆରୀ ୨୫ ତାରିଖରେ ବର୍ଷ ୨୦୨୦ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଥିଲେହେଁ କରୋନା ମହାମାରୀ ସକାଶେ ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ ହୋଇପାରିନଥିଲା ।