ଡିପିଆଇଆଇଟି ପକ୍ଷରୁ ଷ୍ଟାର୍ଟଅପ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଷ୍ଟାର୍ଟଅପ ସମୂହଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ ଯୋଜନା ପ୍ରବର୍ତ୍ତନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଫଳରେ ଷ୍ଟାର୍ଟଅପ ଗୁଡିକୁ ଯେଉଁ ସବୁ ବିତ୍ତୀୟ ସଂସ୍ଥା ,ଅନୁଷ୍ଠାନ, ସଂଗଠନ ଋଣ ଦେଉଛନ୍ତି ସେମାନଙ୍କର ଋଣ ଅର୍ଥ ବୁଡିଯିବାର ଆଶଙ୍କା ଦୂର ହୋଇଛି । ସମ୍ପୃକ୍ତ ଷ୍ଟାର୍ଟଅପ ଋଣ ପରିଶୋଧ କରି ନ ପାରିଲେ ତାହା ଫେରି ପାଇବାର ନିଶ୍ଚିତତା ବା ଗ୍ୟାରେଣ୍ଟି ସେମାନଙ୍କୁ ମିଳିବ ।

ଆହୁରି ମଧ୍ୟ ଏହି ଯୋଜନାରେ ଷ୍ଟାର୍ଟଅପ ଗୁଡିକ ବ୍ୟାଙ୍କ ବା ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ନିକଟରେ କୌଣସି ଜମା ବା ବଦ୍ଧକ ନ ରଖି ଋଣ ପାଇପାରିବ । ଏହା ଫଳରେ ଋଣ ପ୍ରଦାନକାରୀ ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ ସମୂହ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ ବା ‘ସେବି’ ଦ୍ୱାରା ପଞ୍ଜୀକୃତ ବିକଳ୍ପ ନିବେଶ ପାଣ୍ଠି ଷ୍ଟାର୍ଟଅପକୁ ଋଣ ଦେଲେ ସେମାନଙ୍କୁ ଋଣ ଗ୍ୟାରେଣ୍ଟି ସୁବିଧା ମିଳିବ । ସେମାନଙ୍କ ଅର୍ଥ ବୁଡିଯିବାର ଆଶଙ୍କା ରହିବ ନାହିଁ ଏବଂ ଷ୍ଟାର୍ଟଅପ ଋଣ ଅର୍ଥ ପରିଶୋଧ କରି ନ ପାରିଲେ ଗ୍ୟାରେଣ୍ଟି ଯୋଜନାରେ ଋଣଦାତା ତାହା ଫେରିପାଇବେ ।

ଏହି ଗ୍ୟାରେଣ୍ଟି ଯୋଜନାରେ ଷ୍ଟାର୍ଟଅପ ଗୁଡିକୁ ଋଣ ଦେଉଥିବା ଆର୍ଥିକ ସଂସ୍ଥାକୁ ନିର୍ଦ୍ଦିଷ୍ଟ ପରିମାଣ ପର୍ଯ୍ୟନ୍ତ ଋଣ ଉପରେ ଗ୍ୟାରେଣ୍ଟି ସୁବିଧା ମିଳିବ । ତେବେ ଏଥିପାଇଁ ସେମାନଙ୍କୁ ଯୋଗ୍ୟ ଷ୍ଟାର୍ଟଅପକୁ ଋଣ ଦେବାକୁ ପଡିବ । ସମ୍ପୃକ୍ତ ଷ୍ଟାର୍ଟଅପ ଡିପିଆଇଆଇଟିର ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ । ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସମୟାନ୍ତରରେ ଷ୍ଟାର୍ଟଅପ ଗୁଡିକର ଋଣ ପାଇବାର ଯୋଗ୍ୟତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

ଏହି ଗ୍ୟାରେଣ୍ଟି ଯୋଜନା କାରବାର ଭିତ୍ତିକ ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନକାରୀ ଭାବେ କାର୍ଯ୍ୟକାରୀ ହେବ । ଏଥିରେ ବ୍ୟକ୍ତିଗତ ସଂସ୍ଥା କ୍ଷେତ୍ରରେ ସର୍ବାଧିକ ୧୦ କୋଟି କିମ୍ବା ସମ୍ପୃକ୍ତ ଋଣକାରୀ ଯେତେ ଋଣ ଅର୍ଥ ପରିଶୋଧନ କରି ନପାରିବେ ତାହା ମଧ୍ୟରୁ ଯେଉଁଠି କମ କେବଳ ସେତିକି ଅର୍ଥ ଗ୍ୟାରେଣ୍ଟି ଯୋଜନାରେ ସମ୍ପୃକ୍ତ ଋଣପ୍ରଦାନକାରୀ ସଂସ୍ଥା ଫେରିପାଇବେ । ଏହି ଋଣ ଗ୍ୟାରେଣ୍ଟି ଯୋଜନା ଏକକ ଋଣକାରଙ୍କ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାର କାର୍ଯ୍ୟକାରିତା ଫଳରେ ଷ୍ଟାର୍ଟଅପ ଗୁଡିକ ସହଜରେ ଋଣ ପାଇପାରିବେ ।