ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧୦ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା କଲେଜ ଗୁଡ଼ିକରେ କେତୋଟି ବିଷୟରେ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷାର ଅବ୍ୟବହିତ ପୂର୍ବରୁ ଉପକୂଳ ଏବଂ ତଟୀୟ ଓଡ଼ିଶାରେ ଏକ ବାତ୍ୟା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଉପକୂଳ ଜିଲ୍ଲା ଗଡ଼ିକର ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ୱବିଦ୍ୟାଳୟର ଆୟୋଜିତ ଚତୁର୍ଥ ସେମିଷ୍ଟାର ଦେଉଛନ୍ତି । ଦୂର ଦୂରାନ୍ତରେ ଥିବା ଛାତ୍ରଛାତ୍ରୀମାନେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ଆସିବାକୁ ଶଙ୍କାଗ୍ରସ୍ତ ଅଛନ୍ତି । ତେଣୁ ବହୁ ଛାତ୍ରଛାତ୍ରୀ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ କିଛି ଦିନ ପାଇଁ ଘୁଞ୍ଚାଇ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।
ଅନ୍ୟପଟେ କିଟ୍ ବିଶ୍ୱବିଦ୍ୟାଳୟର ବିଟେକ୍ ପରୀକ୍ଷା ମଧ୍ୟ ଆସନ୍ତା ୯ ତାରିଖରୁ ଆରମ୍ଭ ହେଉଛି । ଯଦି ବାତ୍ୟା ହୁଏ ତେବେ ପରୀକ୍ଷା କେମିତି ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କିଟ୍ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୁଞ୍ଚାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।