ନୂଆଦିଲ୍ଲୀ: କରୋନା କାଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମହାମାରୀ ସମୟରେ ଖରାପ ଅର୍ଥବ୍ୟବସ୍ଥା ଓ ବଢ଼ୁଥିବା ଦରଦାମକୁ ଦୃଷ୍ଟିରେ ରଖି ଡିଜେଲ ଦର ହ୍ରାସ କରିବାକୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି। ଫଳରେ ଦିଲ୍ଲୀରେ ଡିଜେଲରେ ୩୦ ପ୍ରତିଶତ ନୁହେଁ ବରଂ ୧୬ ପ୍ରତିଶତ ଭାଟ ଲାଗିବ। କେଜ୍ରିୱାଲଙ୍କ ଏହି ପଦକ୍ଷେପ ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୩.୬୪ ଟଙ୍କା ହୋଇଛି।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି କି, ବଢ଼ୁଥିବା ଦରଦାମ ଦିଲ୍ଲୀବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେଥିପାଇଁ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି କ୍ୟାବିନେଟ ବୈଠକ ଡକାଇଥିଲୁ। ଆଉ ସମସ୍ତଙ୍କ ମତାମତ ନେବା ପରେ ଡିଜେଲ ଦର ୮.୩୬ଟଙ୍କା କମ୍ କରିବାର ପଦକ୍ଷେପ ନେଇଛୁ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ମାସ ଡିଜେଲ ଦର ପେଟ୍ରୋଲଠାରୁ ଅଧିକ ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ଖୁବ୍ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। ତେଲଦର ବୃଦ୍ଧି ହେବା ଯୋଗୁ ଦରଦାମ ମଧ୍ୟ ବୃଦ୍ଧି ପାଉଥିବାରୁ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେଜ୍ରିୱାଲ ଡିଜେଲ ଦର ହ୍ରାସ କରିବା ନେଇ ଘୋଷଣା କରିଛନ୍ତି।