ଦିଲ୍ଲୀ ହିଂସା : ମୃତ୍ୟୁ ସଂଖ୍ୟା ୭ ଛୁଇଁଲା, ବୈଠକ ଡକାଇଲେ ଶାହ

ନୂଆଦିଲ୍ଲୀ : ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ମଙ୍ଗଳବାର ୩ୟ ଦିନରେ ପହଞ୍ଚିଛି। ଗତ ସୋମବାର ହିଂସା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ଥାନୀୟ ବିଧାୟକ ଏବଂ ଅଧିକାରୀଙ୍କୁ ବୈଠକ ପାଇ ଡକାଇଥିବାବେଳେ ଅନ୍ୟପଟେ ଗୃହ ମନ୍ତ୍ରୀ ଅମିତ ଶାହ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି। ଏହି ବୈଠକରେ ଉପରାଜ୍ୟପାଳ ଅନୀଲ ବୈଜଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେବେ। ଏହା ପୂର୍ବରୁ କେଜ୍ରିୱାଲ ଡକାଇଥିବା ବୈଠକ ପାଇଁ ତାଙ୍କ ବାସଭବନରେ ବିଧାୟକ ଏବଂ ଅଧିକାରୀମାନେ ପହଞ୍ଚିଥିବା ସୂଚନା ମିଳିଛି।