ସାଇବର ସୁରକ୍ଷା ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସ ପକ୍ଷରୁ ଏସଡିପିଓ ସନ୍ତୋଷିନୀ ଓରାମ ଓ ଥାନାଧିକାରୀ ସୌଦାମିନୀ ବେହେରାଙ୍କ ମିଳିତ ସଂଯୋଜନାରେ ସାଇବର ସୁରକ୍ଷା ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ରଥକୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସହ ସ୍ୱାଗତ କରିଥିଲେ । ପରେ ମହାବିଦ୍ୟାଳୟ ସଭା ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ମୁନିଗୁଡ଼ା ଥାନା ଏସଆଇ ମନୋରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସାଇବର ସୁରକ୍ଷା ଅଭିଯାନ ଶୀର୍ଷକ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡିପିଓ ସନ୍ତୋଷିନୀ ଓରାମ, ସମ୍ମାନିତ ଅତିଥିଭାବେ +୨ କଲେଜର ଅଧ୍ୟକ୍ଷ ଦେବବ୍ରତ ରାଜଗୁରୁ, ଡିଗ୍ରୀ କଲେଜ ଅଧ୍ୟକ୍ଷ ହୃଷିକେଶ ଜାଲି ଓ ଥାନାଧିକାରୀ ସୌଦାମିନୀ ବେହେରା ପ୍ରମୁଖ ଉପସ୍ଥିତ ରହି କୌଣସି ଅଜଣା ବ୍ୟକ୍ତିଙ୍କୁ କିମ୍ବା ଅଜଣା ଫୋନ କଲରେ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଓଟିପି ନମ୍ବର, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ, ୟୁପିଆଇ ଆଇଡି ଓ ପାସୱାର୍ଡ ନଦେବାକୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ ହେବାକୁ ବିବରଣୀ ଦେବାସହ ପରାମର୍ଶ ଦେଇଥିଲେ ।

ଅନ୍ୟାନ୍ୟ ସାଇବର ଠକେଇ ଉପରେ ସତର୍କ ରହିବା ସହ ଏହାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୧୯୩୦ ନମ୍ବରକୁ ସମ୍ପର୍କ କରିବାକୁ ଅତିଥିମାନେ ଅନୁରୋଧ କରିଥିଲେ । ପରେ ନାଟକ ମାଧ୍ୟମରେ ସଚେତନତା ବାର୍ତ୍ତା ଦେବାସହ ଏଲଇଡି ଟିଭି ସାହାଯ୍ୟରେ ସାଇବର ଠକେଇ ଉପରେ ସତର୍କ ରହିବାକୁ ସଚେତନ ଭିଡିଓ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା । ସେହିପରି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ମଧ୍ୟ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ମୁନିଗୁଡ଼ା ପୁଲିସ ଏସଆଇ ଚକ୍ରଧର ବେହେରା, ହେମଲତା ଶବର, ଶାନ୍ତନୁ କୁମାର ମାଝୀ, ସାଗର ପ୍ରସାଦ ନାୟକ, ଏଏସଆଇ ମାଧବ ମାଡ଼କାମି, ଜୟ ଚନ୍ଦ୍ର ସାହୁ ଓ ଉତ୍କଳ ବିଜୟ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।