ସେସୁର ସ୍ୱଚ୍ଛତା ନେଇ ପ୍ରଶ୍ନ କଲେ ଗ୍ରାହକ: ଦାଖଲ ହେଲା ୧୦୦ ଯାଚିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଜାନୁଆରୀ ୧୬ ପରଠାରୁ ସେସୁ ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ପାଇଁ ଘୋଷଣା କରିବା ପରେ ସେସୁର ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଦ୍ୟୁତ୍ ଗ୍ରାହକ। ସୋମବାର ରାଜଧାନୀସ୍ଥିତ ସେସୁ କାର୍ଯ୍ୟାଳୟରେ ସେସୁର ବିଦ୍ୟୁତ୍ ସେବା ସମ୍ବନ୍ଧିତ ତଥ୍ୟ ପାଇବା ଉଦ୍ଦେଶ୍ୟରେ ୧୦୦ରୁ ଅଧିକ ସୂଚନା ଅଧିକାର ଯାଚିକା ଦାଖଲ ହୋଇଛି। ଯାଚିକାରେ ସେସୁ ମିଟରଗୁଡ଼ିକର ମାନକୁ ନେଇ ପ୍ରଶ୍ନ ପଚରାଯାଇଛି।

ମାନକୁ ମାପିବା ପାଇଁ ସେସୁ କେବେ ଶେଷ ଥର ପାଇଁ ଯାଞ୍ଚ କରିଥିଲା ଓ ଆଗାମୀ ଦିନରେ କେବେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ପ୍ରଶ୍ନ ପଚରାଯାଇଛି। ଏହାବ୍ୟତୀତ ଗ୍ରାହକମାନେ ମିଟର ଦେଖାଉଥିବା ତଥ୍ୟର ସଠିକତା ନେଇ ମଧ୍ୟ ତଥ୍ୟ ମାଗିଛନ୍ତି। ଜନଜାଗରଣ ମଞ୍ଚ ଓ ଅନ୍ୟ କିଛି ସୂଚନା ଅଧିକାର କର୍ମୀମାନେ ଏହି ଯାଚିକା ଦାଖଲ କରିଛନ୍ତି। ଜନଜାଗରଣ ମଞ୍ଚର କହିବା ଅନୁଯାୟୀ, ବିଦ୍ୟୁତ୍ ଏକ ମୌଳିକ ଆବଶ୍ୟକତା।

ସରକାର ଏହାକୁ ନେଇ ସାମାନ୍ୟ କୋହଳ ମନୋଭାବ ପୋଷଣ କରିବା ଉଚିତ୍। ଯଦି ଏଭଳି ହେଉନାହିଁ, ତେବେ ଗ୍ରାହକମାନେ ମଧ୍ୟ ସେସୁର ସ୍ୱଚ୍ଛତା ଓ ସଠିକତା ନେଇ ସବିଶେଷ ତଥ୍ୟ ପାଇବା ପାଇଁ ଏକଦମ ହକଦାର। ଆମେ ବ୍ୟବହାର କରୁଥିବା ବିଦ୍ୟୁତ୍ ମିଟରର ମାନ ଜାଣିବା ସହ ବିଦ୍ୟୁତ୍ ସଂଯୋଗ ବେଳେ ସେସୁ ଗ୍ରାହକମାନଙ୍କ ଠାରୁ ନେଇଥିବା ସିକ୍ୟୁରିଟି ଟଙ୍କାକୁ ବିଦ୍ୟୁତ୍ ଶୁଳ୍କରୁ ବିୟୋଗ କରିଛି କି ନାହିଁ ସେ ସମ୍ବନ୍ଧିତ ସବିଶେଷ ତଥ୍ୟ ଜାଣିବାକୁ ଚାହୁଁଛୁ।