ରାଜଧାନୀରେ ଏବେ ସଂକ୍ରମଣ ଠାରୁ ସୁସ୍ଥ ଅଧିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏବେ ରାଜଧାନୀରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଦ୍ରୁତ ଗତିରେ ଆକ୍ରାନ୍ତ ମାନେ ସୁସ୍ଥ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରୁ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୪ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରର‌ ହୋଇଥିବାବେଳେ ୧୩୮ ଜଣ ଲୋକାଲ୍‌ କେସ୍‌ ରହିଛି। ଅନ୍ୟପଟେ ଆଜି ଭୁବନେଶ୍ୱରରୁ ପୁଣି ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି କ୍ବାରେଣ୍ଟାଇନ୍‌ ସେଣ୍ଟର‌ରୁ ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରେ ୟୁନିଟ-୧ ଓ ପଟିଆରୁ ୪ ଜଣ ଲେଖାଏଁ, ପୁରୁଣା ଭୁବନେଶ୍ୱର ଓ ଗଜପତି ନଗରରୁ ୩ଜଣ ଲେଖାଏଁ, ବିଜେବି ନଗର, ଘାଟିକିଆ, ଶୈଳଶ୍ରୀ ବିହାର, ଟଙ୍କାପାଣି ରୋଡ, ୟୁନିଟ-୮ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଲୋକାଲ୍‌ କେସ୍ ମଧ୍ୟରେ ନୟାପଲ୍ଲୀରୁ ୧୧ ଜଣ, ପଟିଆରୁ ୯ ଜଣ, ୟୁନିଟ-୮, ପାତ୍ରପଡ଼ା, ନିଳାଦ୍ରୀ ବିହାରରୁ ୭ ଜଣ ଲେଖାଏଁ, ଡୁମଡୁମା, ଝାରପଡ଼ାରୁ ୬ ଜଣ ଲେଖାଏଁ, ଆଚାର୍ୟ୍ୟ ବିହାର, ଚନ୍ଦ୍ରଶେଖରପୁର, ଟଙ୍କାପାଣି ରୋଡ, ଜୟଦେବ ବିହାରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହ ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨୮,୪୮୧ରେ ପହଞ୍ଚିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୨୫,୮୯୫ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ବାକି ୧୫୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିବା ବେଳେ ୨୪୧୫ ଜଣ ଚିକିତ୍ସାଧୀନ ଅଛନ୍ତି।