ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଟିମ୍ର ଅନେକ ଖେଳାଳିଙ୍କୁ କରୋନା ହୋଇଛି। ଏଥିରେ ଶିଖର ଧୱନ, ଋତୁରାଜ୍ ଗାୟକୱାଡ ଓ ଶ୍ରେୟସ ଆୟରଙ୍କ ସମେତ କିଛି ଖେଳାଳିଙ୍କ ନାଁ ସାମିଲ ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟିମ୍ ଇଣ୍ଡିାରେ ଯେଉଁ ମାନଙ୍କୁ କରୋନା ପଜିଟିଭ ହୋଇଛି, ଏମାନଙ୍କ ମଧ୍ୟରେ ଖେଳାଳି ଓ ଅନ୍ୟ ସଦସ୍ୟ ଅଛନ୍ତି।
ଟିମ ଇଣ୍ଡିଆରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଖେଳାଳି ଓ ସଦସ୍ୟଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ଶିଖର ଧୱନ, ଋତୁରାଜ ଗାୟକୱାଡଙ୍କୁ କରୋନା ପଜିଟିଭ ହୋଇଥିବା ସ୍ପଷ୍ଟ ହୋଇଛି। ବାକି ଅନ୍ୟମାନଙ୍କର ମେଡିକାଲ ଟିମ୍ର ବୟାନକୁ ଅପେକ୍ଷା କରାଯାଇଛି। ବିସିସିଆଇ କିଛି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁବାର ଅନ୍ୟ ଖେଳାଳି ମାନଙ୍କର କୋଭିଡ-୧୯ ପରୀକ୍ଷା କରାଯିବ।
ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ସମସ୍ତ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ନିଜ ଘରେ ଥିଲେ। କନ୍ତୁ ଏବେ ଦିନିକିଆ ଶୃଙ୍ଖଳା ପୂର୍ବରୁ ସମସ୍ତ ଖେଳାଳି ଅହମଦାବାଦରେ ଏକତ୍ର ହୋଇଥିଲେ। ଏବେ କିଛି ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତା ୬ ତାରିଖ ଠାରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ପ୍ରଥମ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ। ତେବେ ଏହାରି ମଧ୍ୟରେ ଯଦି ପୁଣି ଅନ୍ୟ ଖେଳାଳିଙ୍କୁ କରୋନା ହୁଏ, ତା’ହେଲେ ଟିମ୍ ଇଣ୍ଡିଆ ଏକାଦଶ ପ୍ରସ୍ତୁତ କରିବାରେ ସଂକଟ ସ୍ଥିତି ଦେଖାଯାଇପାରେ।